fbpx

(Video):ଦିଲ୍ଲୀ କୋଚିଂ ସେଣ୍ଟରରେ ବଡ଼ ଅଘଟଣ; ପ୍ରବଳ ବର୍ଷା ଯୋଗୁଁ ବେସମେଣ୍ଟରେ ଭର୍ତ୍ତି ହେଲା ପାଣି, ୩ ଛାତ୍ର ମୃତ

ନୂଆଦିଲ୍ଲୀ: ଶିନିବାର ବିଳମ୍ବିତ ରାତିରେ ଦିଲ୍ଳୀର ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ଏକ କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ଭର୍ତ୍ତି ହେବା ଯୋଗୁଁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ୍ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ତେବେ କିଛି ଘଣ୍ଟାର ସର୍ଚ୍ଚ ଅପରେସନ ପରେ ୩ ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା । ଏଥିମଧ୍ୟରେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମାଜିଷ୍ଟ୍ରେଟଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାରୁ ପ୍ରକାଶ ଶନିବାର ସନ୍ଧ୍ୟାରେ ଦିଲ୍ଲୀ ଫାୟାର ଡିପାର୍ଟମେଣ୍ଟକୁ ‘ରାଓ ଆଇଏଏସ୍ ଷ୍ଟଡି ସେଣ୍ଟର’ ବେସମେଣ୍ଟରେ ପାଣି ଭର୍ତ୍ତି ହେବାର ସୂଚନା ମିଳିଥିଲା । ଏହା ପରେ ତୁରନ୍ତ ରେସ୍କ୍ୟୁ ଅପରେସନ୍ ପାଇଁ ଅଗ୍ନିଶମ ବାହିନୀ ଏବଂ ଏନଡିଆରଏଫ୍ ଟିମକୁ ଘଟଣାସ୍ଥଳକୁ ପଠାଯାଇଥିଲା । ରେସ୍କ୍ୟୁ ଅପରେସନ ପରେ ୩ ଜଣଙ୍କ ଶବ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରୁ ୨ ଜଣ ଛାତ୍ରା ଏବଂ ଜଣେ ଛାତ୍ର ଥିଲେ । ତେବେ ମୃତକ ୩ ଜଣ ହେଉଛନ୍ତି ତାନିଆ ସୋନୀ(୨୫) , ଶ୍ରେୟା ଯାଦବ(୨୫) ଏବଂ ନବୀନ ଡାଲୱିନ୍(୨୮) । ତେବେ ରେସ୍କ୍ୟୁ ଅପରେସନ ସମୟର ଭିଡିଓ ଏଏନ୍‌ଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ ଉକ୍ତ କୋଚିଂ ସେଣ୍ଟର ବେସମେଣ୍ଟରେ ଏକ ଲାଇବ୍ରେରୀ ରହିଛି ଯେଉଁଠି ପୂର୍ବରୁ ଅନେକ ବିଦ୍ୟାର୍ଥୀ ଉପସ୍ଥିିତ ଥିଲେ । ପ୍ରବଳ ବର୍ଷା ଯୋଗୁଁ ବେସମେଣ୍ଟରେ ବର୍ଷା ପାଣି ଭର୍ତ୍ତି ହେବାକୁ ଲାଗିଲା । ଫସିଥିବା ବିଦ୍ୟାର୍ଥୀଙ୍କୁ ଦୌଡ଼ି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । କିନ୍ତୁ ୩ ଜଣଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ପାରିନଥିଲା । ପରେ ପୋଲିସ ଓ ରେସ୍କ୍ୟୁ ଟିମକୁ ସୂଚନା ଦିଆଯାଇଥିଲା । ଅପରପକ୍ଷରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶୀ ମୁଖ୍ୟ ସଚିବ ନରେଶ କୁମାରଙ୍କୁ ଏହି ଘଟଣାର ଯାଞ୍ଚ କରିବା ସହ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅତିଶୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଏହି ଘଟଣା କେମିତି ହେଲା ଏହାର ଯାଞ୍ଚ ପାଇଁ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ପାଇଁ ଯିଏ ବି ଦାୟୀ ହେବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ’

Get real time updates directly on you device, subscribe now.