fbpx

ଖାଦ୍ୟ ଦେଖିଲେ ଲାଗୁଛି ଡର, ଏପରି ଭୟଙ୍କର ଲକ୍ଷଣ ଥିବା ରୋଗରେ ଶିକାର ୩ ବର୍ଷର ଶିଶୁ

ନୂଆଦିଲ୍ଲୀ: ଦୁନିଆରେ ଆମେ ବହୁ ବିଚିତ୍ର ଘଟଣାମାନ ଦେଖିଛୁ । କେତେବେଳେ କୌଣସି ବ୍ୟକ୍ତିକୁ ପାଣି ଦେଖିଲେ ଭୟ ଲାଗିଥାଏ ତ ପୁଣି କେତେବେଳେ କାହାକୁ ଅନ୍ଧାରକୁ ଭୟ ଲାଗିଥାଏ । କିନ୍ତୁ ଆପଣ କେବେ ଏପରି ଭୟ ବିଷୟରେ ଶୁଣିଛନ୍ତି ଯେଉଁଠି କାହାକୁ ଖାଦ୍ୟ ଦେଖିଲେ ଭୟ ଲାଗିଥାଏ । ନିଶ୍ଚିନ୍ତ ନୁହେଁ । କାରଣ ବିନା ଖାଦ୍ୟରେ ଜଣେ ବଞ୍ଚି ରହିବା ଅସମ୍ଭବ । କିନ୍ତୁ ଜଣେ ୩ ବର୍ଷର ଶିଶୁ ସହ ଏପରି କିଛି ଅଜବ ଘଟୁଥିବାର ଦେଖାଯାଇଛି । ପ୍ରାୟ ୧ ବର୍ଷରୁ ଅଧିକ ସମୟ ହୋଇଗଲାଣି ସେ ନିଜ ପାଟିରେ କିଛି ବି ଖାଦ୍ୟ ଖାଇନାହିଁ । ତାକୁ ଟ୍ୟୁବ୍ ଜରିଆରେ ଖାଦ୍ୟ ଦିଆଯାଉଛି । ଇଂଲଣ୍ଡରେ ରହୁଥିବା ଏହି ଶିଶୁ ଓଲିଭର ଟେଲରଙ୍କୁ ଯେତେବେଳେ ୨ ବର୍ଷ ହୋଇଥିଲା ସେତେବେଳେ ସେ କୁପୋଷଣ ଓ ଡିହାଇଡ୍ରେସନ ସମସ୍ୟାର ଶିକାର ହୋଇଥିଲେ ।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ଓଲିଭର ଆଭୋଇଡେଣ୍ଟ ରେକ୍ସଟ୍ରିଟିଭ୍ ଫୁଡ୍ ଇନଟେକ୍ ଡିସଅର୍ଡର (ARFID) ସମସ୍ୟାରେ ପୀଡିତ । ଏହି ରୋଗରେ ବ୍ୟକ୍ତିକୁ ଖାଇବାକୁ ଭୟ ଲାଗିଥାଏ । ବ୍ୟକ୍ତି ଖାଦ୍ୟର ସ୍ୱାଦ ପ୍ରତି ନକରାତ୍ମକ ପ୍ରତିକ୍ରିୟା ଦେଖାଇଥାଏ । ଓଲିଭରଙ୍କ ମା’ ଏମା କୁହନ୍ତି, ଏହା ଖାଦ୍ୟଜନିତ ଏକ ବିଶୃଙ୍ଖଳା । ୨ ବର୍ଷର ଶିଶୁ ବି ଏଥିରେ ପୀଡିତ ହୋଇପାରନ୍ତି । ସେ କହିଛନ୍ତି ଓଲିଭର ଖାଦ୍ୟ ଦେଖିଲେ ବହୁତ ଭୟ କରୁଛି ଯାହା ବହୁତ ଚିନ୍ତାପ୍ରଦ ଓ ସମ୍ବେଦନଶୀଳ ଘଟଣା । ଓଲିଭରଙ୍କ ମାତାପିତା ତାଙ୍କ ପୁଅର ଏହି କାହାଣୀ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ଲୋକମାନେ ଏପରି ଏକ ରୋଗ ବିସଷୟରେ ସଚେତନ ହେବା ଉଚିତ ।

ଓଲିଭରଙ୍କ ମା’ କହିଛନ୍ତି ତାକୁ ତରଳ ପଦାର୍ଥ ଓ ଖାଦ୍ୟ ଆଦୌ ପସନ୍ଦ ନୁହେଁ । ତାକୁ ରାତିରେ ୧୦ ଘଣ୍ଟା ଓ ଦିନରେ ୪ ଘଣ୍ଟା ଟ୍ୟୁବ୍ ଜରିଆରେ ଖାଦ୍ୟ ଦିଆଯାଇଥାଏ । ଗତ ବର୍ଷ ଏପ୍ରିଲରେ ତା’ ପେଟରେ ଏକ ସ୍ଥାୟୀ ଟ୍ୟୁବ୍ ଫିକ୍ସ କରାଯାଇଛି । ଟ୍ୟୁବ୍ ଫିଡିଂ କାରଣରୁ ଓଲିଭରର ଓଜନ ୧୨ ମାସରେ ଏକ ତୃତୀୟାଂଶ ବଢିଗଲା । ଏମା କହିଛନ୍ତି ପୁଅର ଏପରି ଅବସ୍ଥାରେ ଆମ ପରିବାର ଉପରେ କ’ଣ ପ୍ରଭାବ ପଡୁଛି ତାହା ଆପଣମାନେ କଳ୍ପନା ବି କରିପାରିବେ ନାହିଁ । ସେ ଖାଦ୍ୟକୁ ଦେଖିଲେ ଭୟ କରୁଥିବାରୁ ଘରେ କୌଣସି ଡିନର କିମ୍ବା ବାର୍ଥଡେ’ ପାର୍ଟିର ଆୟୋଜନ ହେଉନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.