ନୂଆଦିଲ୍ଲୀ: ଗତ ୨ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଏକ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା । ଉକ୍ତ ଦୁର୍ଘଟଣାରେ ୩୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୧୦୦୦ରୁ ଅଧିକ ଆହତ ହୋଇଥିଲେ । ଏବେ ବି ସମସ୍ତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ନାହିଁ । ଶତାଧିକ ମୃତଦେହକୁ ସଂରକ୍ଷିତ କରି ରଖାଯିବା ସହ ରାଜ୍ୟ ସରକାର ମୃତଦେହକୁ ଚିହ୍ନଟ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି ।
ତେବେ ଏହା ମଧ୍ୟରେ ଘଟିଯାଇଛି ପୁଣି ଏକ ବଡ଼ ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ଯାତ୍ରା କରୁଥିବା ବେଳେ ଏକ ବସ୍ ଅଚାନକ ଗୋଟିଏ କେନାଲ ମଧ୍ୟକୁ ଖସି ପଡ଼ିଛି । ଫଳରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିବା ସହିତ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବିହାରର ମଧୁବନୀ ଜିଲ୍ଲାରେ ଘଟିଯାଇଛି ଏଭଳି ଏକ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବା ସମୟରେ ବସଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ତେବେ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ପଠାଇଥିଲେ । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭିଡ଼ ଜମି ଯାଇଥିଲା । ଲୋକମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ବସଟି ସିଲିଗୁଡ଼ି ଅଭିମୂଖେ ଯାଉଥିଲା । ଉକ୍ତ ବସରେ ପାଖାପାଖି ୪୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଜଣେ ୬୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି ।