୩୧ ବର୍ଷୀୟ ଭାରତୀୟ ପେସ୍ ବୋଲର ନେଲେ ସନ୍ନ୍ୟାସ: ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟରେ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କାଣ୍ଟେ କା ଟକ୍କର ଚାଲିଛି । ପୂର୍ବରୁ ଉଭୟ ଟିମ୍ ଗୋଟିଏ ଲେଖାଏଁ ଟେଷ୍ଟରେ ଜିତିବା ସହ ସ୍ଥିତି ୧-୧ରେ ବରାବର ରହିଛି । ବ୍ରିସବେନର ଗାବା ଟେଷ୍ଟରେ ଭାରତ ପରାଜୟର ଦ୍ୱାରଦେଶରେ ରହିଛି । ତେବେ ଏହି ସମୟରେ ଆସିଛି ଏକ ବଡ଼ ଖବର । ଜଣେ ଭାରତୀୟ କ୍ରିକେଟର ସନ୍ନ୍ୟାସ ଘୋଷଣା କରିଛନ୍ତି । ୩୧ ବର୍ଷୀୟ ଏହି ପେସ ବୋଲରଙ୍କ ଘୋଷଣାକୁ ନେଇ ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି ।

ଖବର ମୁତାବକ, ୩୧ ବର୍ଷୀୟ ଭାରତୀୟ ପେସର ଅଙ୍କିତ ରାଜୁପୁତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଙ୍କିତ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ତରଫରୁ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଖେଳିଥିଲେ । ଅଙ୍କିତଙ୍କୁ ଭାରତୀୟ କ୍ରିକେଟ ଟିମ ତରଫରୁ ଖେଳିବାକୁ ସୁଯୋଗ ମିଳିନଥିବା ବେଳେ ସେ ଘରୋଇ କ୍ରିକେଟରେ ଦୀର୍ଘ ବର୍ଷ ଧରି ଉତ୍ତରପ୍ରଦେଶ ପାଇଁ ଖେଳୁଥିଲେ । ଅଙ୍କିତ ପ୍ରଥମ ଶ୍ରେଣୀ କ୍ରିକେଟରେ ୮୦ଟି ମ୍ୟାଚ ଖେଳି ୨୪୮ ୱିକେଟ ଅକ୍ତିଆର କରିଛନ୍ତି । ୨୫ ରନ୍ ଦେଇ ୬ ୱିକେଟ ହାସଲ କରିବା ହେଉଛି ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ନିକଟରେ ଅଙ୍କିତ ୟୁପି ତରଫରୁ ରଣଜୀ ଟ୍ରଫି ଖେଳୁଥିଲେ । ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅଙ୍କିତ ନିଜର ଅବସର ଘୋଷଣା କରିଛନ୍ତି । ୨୦୦୯ ମସିହାଠାରୁ ୨୦୨୪ ୩ ପର୍ଯ୍ୟନ୍ତ ତାଙ୍କର ଏହି କ୍ରିକେଟ ଯାତ୍ରା ବେଶ୍ ଶାନଦାର ଥିଲା ବୋଲି ସେ କହିଛନ୍ତି ।