ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ବେଆଇନ ଅର୍ଥ ଆଦାୟ କରିଥିଲେ ପୂର୍ବତନ କର୍ପୋରେଟର୍‌ଙ୍କ ସ୍ୱାମୀ : ଅର୍ଥ ଫେରସ୍ତ ପାଇଁ ହାଇକୋର୍ଟରେ ୩୫ ପରିବାର

କଟକ, (ଭାସ୍କର ନ୍ୟୁଜ୍‌): ଇଣ୍ଟିଗ୍ରେଟେଡ୍‌ ହାଉସିଂ ଏଣ୍ଡ୍‌ ସ୍ଲମ୍‌ ଡେଭେଲର୍ପସ୍‌ (ଆଇଏଚ୍‌ଏସ୍‌ପି) ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଘର ଦେବା ଆଳରେ ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥ ଫେରସ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଘର ପାଇବା ପାଇଁ ଅର୍ଥ ଦେଇଥିବା ୩୫ ପରିବାର ପକ୍ଷରୁ ସେମାନଙ୍କ ଅର୍ଥ ଫେରିାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।

କଟକ ମହାନଗର ଅଧିନସ୍ଥ୍‌ ଅନ୍ଦରପୁର ଓ ତଅଁଳାସାହିରେ ଆଇଏଚ୍‌ଏସ୍‌ପି ଯୋଜନାରେ ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ଘର ତିଆରି କରାଯାଇଥିଲା । ତେବେ ଗୃହ ବଣ୍ଟନ ଉପରେ ଅଦାଲତଙ୍କ ରହିତାଦେଶ ରହିଥିବା ବେଳେ ଜଣେ ପୂର୍ବତନ କର୍ପୋରେଟର୍‌ଙ୍କ ସ୍ୱାମୀ ରାଜ୍‌ କରଣ ବସ୍ତି ବାସିନ୍ଦାଙ୍କଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରିଥିଲେ । ଏହି ମର୍ମରେ ରାଜ୍‌ କରଣ ୩୫ ପରିବାର ନିକଟରୁ ବେଆଇନ ଭାବେ ଅର୍ଥ ଆଦାୟ କରିଥିଲେ । ଏହାକୁ ନେଇ ଥାନାରେ ଏକାଧିକ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ୍‌ ରାଜ୍‌ କରଣକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ନିକଟରୁ ଉକ୍ତ ଅର୍ଥ ଆଦାୟ କରି ପିଡିତ ୩୫ ପରିବାରକୁ ଫେରସ୍ତ କରିବାକୁ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।