fbpx

୧୦ ବର୍ଷର ପିଲାମାନେ ସୋସିଆଲ ମିଡ଼ିଆରେ ଅଧିକ ସକ୍ରିୟ: ୩୭ ପ୍ରତିଶତ ଫେସବୁକରେ, ୨୪ ପ୍ରତିଶତ ଇନଷ୍ଟାଗ୍ରାମରେ ସକ୍ରିୟ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡିଆର ପ୍ରାଧାନ୍ୟ ବଢ଼ିବାକୁ ଚାଲିଛି । ତେବେ ଆଜିକାଲି ସମସ୍ତଙ୍କ ପାଖରେ ସ୍ମାଟଫୋନ୍ ଓ ଇଣ୍ଟରନେଟର ଉପଲବ୍ଧ ହେତୁ ୧୦ ବର୍ଷର ପିଲାମାନେ ଏଥିରୁ ବାଦ୍ ପଡ଼ିନାହାନ୍ତି । ଏହି ବୟସର ପିଲାଙ୍କ ମଧ୍ୟରେ ୩୭.୮ ପ୍ରତିଶତ ଫେସବୁକ ଓ ୨୪.୩ ପ୍ରତିଶତ ଇନଷ୍ଟାଗ୍ରାମରେ ସକ୍ରିୟ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହି ବୟସର ପିଲାମାନଙ୍କର ବହୁମାତ୍ରାରେ ସୋସିଆଲ ମିଡିଆରେ ଆକାଉଣ୍ଟ ରହିଥିବାରୁ ସେମାନଙ୍କୁ ଧମକ, ଦୁର୍ବ୍ୟବହାର ଆଦିର ସାମନା କରିବାକୁ ପଡ଼ୁଛି । ତେବେ ଫେସବୁକ ଓ ଇନଷ୍ଟାଗ୍ରାମ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ୧୩ ବର୍ଷ ବୋଲି ନିୟମ ରହିଥିବା ବେଳେ ବର୍ତ୍ତମାନ ତାହା ଉଲ୍ଲଂଘନ ହେଉଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ।

ଏହି ଅଧ୍ୟୟନ ପାଇଁ ମୋଟ ୫,୮୧୧ ଜଣଙ୍କୁ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୪୯୧ ଜଣ ସ୍କୁଲ ପିଲା, ୧୫୩୪ ଜଣ ଅଭିଭାବକ, ଛଅଟି ରାଜ୍ୟର ୬୦ଟି ସ୍କୁଲର ୭୮୬ ଜଣ ଶିକ୍ଷକ ରହିଥିଲେ । ତେବେ ୬୨.୬ ପ୍ରତିଶତ ପିଲାମାନେ ସେମାନଙ୍କ ପିତାମାତାଙ୍କ ମୋବାଇଲ ଫୋନ୍ ବ୍ୟବହାର କରିଥିବା ଦେଖାଯାଇଥିଲା । ଅପରପକ୍ଷେ ୮ରୁ ୧୮ ବର୍ଷର ପିଲାଙ୍କ ମଧ୍ୟରେ ୩୦.୨ ପ୍ରତିଶତ ସେମାନଙ୍କର ନିଜ ସ୍ମାର୍ଟଫୋନକୁ ସମସ୍ତ କାର୍ଯ୍ୟ ସକାଶେ ବ୍ୟବହାର କରୁଥିଲେ । ୯୪.୮ ପ୍ରତିଶତ ପିଲାମାନେ ସେମାନଙ୍କର ଅନଲାଇନ କ୍ଲାସ ପାଇଁ ସ୍ମାଟଫୋନ୍ ବ୍ୟବହାର କରିଥିଲେ । ଏହାଛଡ଼ା ମେସେଜ ପାଇଁ ୪୦ପ୍ରତିଶତ, ଷ୍ଟଡି ମ୍ୟାଟେରିଆଲ ପାଇଁ ୩୧ ପ୍ରତିଶତ, ମ୍ୟୁଜିକ୍ ପାଇଁ ୩୧.୩ ପ୍ରତିଶତ ଓ ଗେମ୍ ପାଇଁ ୨୦.୮ ପ୍ରତିଶତ ବ୍ୟବହାର କରୁଥିଲେ । ତେବେ ୫୧.୯ ପ୍ରତିଶତ ପିଲା ସ୍ମାର୍ଟଫୋନରେ ଚାଟିଂ କରୁଥିବା ବେଳେ ମାତ୍ର ୧୦.୧ ପ୍ରତିଶତ ଅନଲାଇନ ଶିକ୍ଷା ପାଇଁ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି । ତେବେ କୋଭିଡ୍-୧୯ ପ୍ରଭାବରେ ଶିକ୍ଷା ବହୁଳ ଭାବେ ପ୍ରଭାବିତ ହୋଇଥିବା ନେଇ ୨୯.୭ ପ୍ରତିଶତ ମତ ଦେଇଥିବା ବେଳେ ସାମାନ୍ୟ ପ୍ରଭାବିତ ହୋଇଛି ବୋଲି ୪୩.୭ ପ୍ରତିଶତ ମତବ୍ୟକ୍ତ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି ।

Get real time updates directly on you device, subscribe now.