fbpx

‘ବବି, ପାଣ୍ଡିଆନ୍ ହେଉଛନ୍ତି ମଣିମାଙ୍କ ଦୁଇ ଆଖି’, ସୌମ୍ୟ କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ବବି ଆଉ ପାଣ୍ଡିଆନ୍ ହେଉଛନ୍ତି ମଣିମାଙ୍କ ଦୁଇ ଆଖି । ତେବେ ଏହି ଦୁଇଟି ଆଖି ସବୁବେଳେ ସତ କହିବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ଚତୁର ଶାସକଙ୍କୁ ତୃତୀୟ ନୟନ ଦରକାର । ଏଭଳି ମର୍ମରେ ନିଜର ମତ ଦେଇଛନ୍ତି ବରିଷ୍ଠ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ । କଟକର ଏକ ଉତ୍ସବ ଅବସରରେ ସେ ଏଭଳି ମତ ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ ରାଜ୍ୟ ଶାସନ ଓ ଶାସକଙ୍କ ସମ୍ପର୍କରେ ମତ ଦେଇ କହିଛନ୍ତି ଯେ କାଉ ଯଦି ଧଳା ବୋଲି ବବି ଆଉ ପାଣ୍ଡିଆନ୍ କହନ୍ତି ଏବଂ ଛାମୁ ମାନିଯାଆନ୍ତି ତେବେ କଥା ସରିଲା । ବବି ଦଳୀୟ ବ୍ୟାପାର ଆଉ ପାଣ୍ଡିଆନ୍ ପ୍ରଶାସନ ସମେତ ଅନ୍ୟ ସମସ୍ତ କଥା ସମ୍ଭାଳୁଛନ୍ତି । କିନ୍ତୁ ଏହି ଦୁଇଜଣ ନିଜ ସ୍ୱାର୍ଥକୁ କଣ ଛାଡ଼ିଦେବେ? ଏଭଳି ମର୍ମରେ ମତ ପ୍ରକାଶ କରିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ଏଭଳି ମତ ପ୍ରକାଶ ପରେ ପୁଣି ରାଜ୍ୟ ରାଜନୀତିରେ ଏକ ପ୍ରକାର ଗରମ ଚର୍ଚ୍ଚା ଜୋର୍ ଧରିଛି ।

ଏଠାରେ ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜର ସମ୍ପାଦିତ ଦୈନିକ ଖବରକାଗଜରେ ନିୟମିତ ସ୍ତମ୍ଭ ଆମ ଘରର ହାଲଚାଲ୍ରେ ରାଜ୍ୟ ରାଜନୀତି ଓ କୋଭିଡ୍ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଆଲେଖ୍ୟ ଲେଖିଥିଲେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏପରିକି ସୌମ୍ୟଙ୍କୁ ଦଳରେ କୋଣଠେସା କରାଯାଉଛି ବୋଲି ଅନେକ ମତ ଦେଇଥିବାବେଳେ ଆଉ କେତେକ ସୌମ୍ୟ ସତ କହିଲେ ବୋଲି ଖୁବ୍ ପ୍ରଶଂସା କରିଥିଲେ । ଏହା ପରେ ପରେ ଅନ୍ୟତମ ବରିଷ୍ଠ ରାଜନେତା ଭର୍ତ୍ତୃହରି ମହତାବ ମଧ୍ୟ ନିଜ ସମ୍ପାଦିତ କାଗଜରେ ସୌମ୍ୟଙ୍କୁ ସମର୍ଥନ ସୂଚକ ମତ ଦେଇଥିଲେ । ସେ କହିଥିଲେ ଯେ ସମାଲୋଚନା କେବେ ବି ଦଳ ବିରୋଧୀ କାର୍ଯ୍ୟ ବୋଲି ବିବେଚନା କରାନଯାଉ । ଏହାକୁ ସାଦରେ ଗ୍ରହଣ କରାଯାଉ ବୋଲି ସେ କହିଥିଲେ । ତେବେ କିଛି ଦିନ ବ୍ୟବଧାନରେ ସୌମ୍ୟ ପୁଣିଥରେ ଶାସକ ଦଳ ସମ୍ପର୍କରେ ମତ ଦେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ।

Get real time updates directly on you device, subscribe now.