fbpx

ତାମିଲନାଡୁ ସରକାରଙ୍କ ବଡ ଘୋଷଣା: ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ୍‌, ମାଟରନିଟ୍ ଲିଭ ୧୨ ମାସ

ଚେନ୍ନାଇ : ତାମିଲନାଡୁ ବିଧାନସଭାରେ ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟ ଅର୍ଥମନ୍ତ୍ରୀ ପିଟିଆର ପଲାନୀବେଲ ତ୍ୟାଗରାଜନ ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଇ-ବଜେଟ ଉପସ୍ଥାପନ କରିଛନ୍ତି । ଏହି ଅଧିବେଶନରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୩ ଟଙ୍କା ଟ୍ୟାକ୍ସ ଛାଡ ନେଇ ଘୋଷଣା କରିଛନ୍ତି । ଯାହା ଫଳରେ ରାଜ୍ୟକୁ ବାର୍ଷିକ ୧୧୬୦ କୋଟି ଟଙ୍କାର ଅତିରିକ୍ତ ବୋଝ ସହିବାକୁ ପଡିବ । ଏହା ବ୍ୟତୀତ ବଜେଟରେ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ୯ ମାସରୁ ୧୨ ମାସକୁ ବୃଦ୍ଧି କରାଯାଇଛି ।

ଏହାସହ ୫୦୦ କୋଟି ଟଙ୍କା ବିନିଯୋଗରେ ସେଣ୍ଟର ଫର କ୍ଳାଇମେଟ ଚେଞ୍ଜ ସ୍ଥାପନା କରାଯିବା ନେଇ ଅର୍ଥ ବ୍ୟୟବରାଦ ହୋଇଛି । କେବଳ ସେତିକି ନୁହେଁ ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବଜେଟରେ ୨୦ ହଜାର କୋଟି ଟଙ୍କାର କ୍ରେଡିଟ ଲୋନ ବିତରଣ କରାଯିବ ବୋଲି କୁହାଯାଇଛି । ଏଥିସହ ରାଜ୍ୟରେ ଥିବା ୭୯.୩୯୫ ଟି ଛୋଟ ଗ୍ରାମର ପ୍ରତି ପରିବାରକୁ ଦୈନିକ ୫୫ ଲିଟର ଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଏହାସହ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ୨୭ ଟି ସହରକୁ ଭୂତଳ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯିବ । ଏସବୁ ଭିତରେ ବି ସରକାରଙ୍କ ଏଭଳି ବଜେଟକୁ ବିରୋଧ କରିଛି ଏଆଇଏଡିଏମକେ । ଦଳର ବିଧାୟକମାନେ ବଜେଟକୁ ବିରୋଧ କରି ବିଧାନସଭା ତ୍ୟାଗ କରିଥିଲେ ।

Get real time updates directly on you device, subscribe now.