କ୍ୟାନ୍ସର ଭଲ କରିବାକୁ ଚାଲିଥିଲା ଧର୍ମ ପରିବର୍ତ୍ତନ, ଖବର ପାଇ ପୋଲିସ ପହଞ୍ଚି…

ବାରାବଙ୍କୀ: ଆଜି ମଧ୍ୟ ଆମ ସମାଜରେ ଅନ୍ଧବିଶ୍ୱାସ ରାଜ କରୁଛି । ଲୋକଙ୍କ ସରଳ ବିଶ୍ୱାସର ଫାଇଦା ଉଠାଉଛନ୍ତି କିଛି ଅନ୍ୟ ଧର୍ମର ଲୋକ । ଦୁରାରୋଗ କର୍କଟକୁ ମଧ୍ୟ ଖ୍ରୀଷ୍ଟ ଭଲ କରିଦେବେ ବୋଲି ଲୋକଙ୍କୁ ଭୁଆଁ ବୁଲାଯାଉଛି । ଯାହାକୁ ନେଇ ଉତ୍ତର ପ୍ରଦେଶର ବାରାବଙ୍ଗୀ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କିଛି ଧର୍ମଗ୍ରନ୍ଥ ଜବତ କରିଛି ।

ସୂଚନା ମୁତାବକ, ଥାନା ଅଞ୍ଚଳର ମଜରେ ଅସୌରୀ ଗାଁର ଜନୈକ ବ୍ୟକ୍ତିଙ୍କୁ କର୍କଟ ରୋଗ ହୋଇଛି । ତାଙ୍କ ପରିବାର ଓ ଗାଁର ଅନ୍ୟ କିଛି ଲୋକଙ୍କ ଘର ଆଗରେ ପୂଜା ପାଠ ଚାଲିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ୪ ଜଣଙ୍କୁ ଗିରଫ କରିଛି । ପୋଲିସ କହିଛି କି, ରାଜେନ୍ଦ୍ର ପ୍ରସାଦଙ୍କୁ କର୍କଟ ହୋଇଛି । ତାଙ୍କୁ ପାଖ ପଲହରୀ ଗାଁର ଜଣେ ଖ୍ରୀଷ୍ଟିଆନ ଲୋକ କହିଥିଲେ କି ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ ରୋଗ ଭଲ ହୋଇଯିବ । ତେଣୁ ରାଜେନ୍ଦ୍ରଙ୍କ ପରିବାର ଧର୍ମ ପରିବର୍ତ୍ତନ କରିବାକୁ ରାଜି ହୋଇଥିଲେ ।

ଧର୍ମପରିବର୍ତ୍ତନ କାମ ଚାଲିଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାନୀୟ ନେତା ଏନେଇ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ଆଧାରରେ ଗାଁରେ ପୋଲିସ ପହଞ୍ଚି ଦେଖିଥିଲା କି, ରାଜେନ୍ଦ୍ରଙ୍କ ଘର ଆଗରେ ଗାଲିଚା ବିଛାହୋଇଛି । ୩୦-୪୦ ଜଣ ବସିଛନ୍ତି । ଧୂପ କାଠି ଜଳାଯିବା ସହ ଜୀଶୁ ଖ୍ରୀଷ୍ଟଙ୍କ ପ୍ରାର୍ଥନା ଗାନ ହେଉଛି । ଏହା ଦେଖି ପୋଲିସ ୪ ଜଣ ଧର୍ମ ପରିବର୍ତ୍ତନକାରୀଙ୍କୁ ଗିରଫ କରିଛି ଓ ସେଠାରୁ କିଛି ଖ୍ରୀଷ୍ଟ ଧର୍ମର ଗ୍ରନ୍ଥ ମଧ୍ୟ ଜବତ କରିଛି ।

ସ୍ଥାନୀୟ ଏଏସପି ଅଖିଳେଶ ନାରାୟଣ ସିଂହ କହିଛନ୍ତି କି, ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି । ଘଟଣାର ତଦନ୍ତ ପାଇଁ ପୋଲିସ ଦୁଇଟି ଟିମ ଗଠନ କରିଥିବା ସୂଚନା ଦେଇଛନ୍ତି ଏଏସପି ।

Get real time updates directly on you device, subscribe now.