ଭୋପାଲ: ମଧ୍ୟପ୍ରଦେଶର ବାନ୍ଧବଗଡ ଟାଇଗର ରିଜର୍ଭ ଫରେଷ୍ଟରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକା ସାଙ୍ଗରେ ୪ ହାତୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ବନ ବିଭାଗର କର୍ମଚାରୀ । ଅନ୍ୟ ୫ ହାତୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଏତେ ସଂଖ୍ୟାରେ ହାତୀ କେମିତି ମଲେ ଓ କେମିତି ଅସୁସ୍ଥ ହେଲେ ତାର କାରଣ ଜଣାପଡି ନ ଥିବା ବେଳେ ତାର କାରଣ ଖୋଜାଚାଲିଛି ।
ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନରେ ବାନ୍ଧବଗଡ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲର କର୍ମଚାରୀ ଜଙ୍ଗଲରେ ଗସ୍ତ କରୁଥିବା ବେଳେ ଖିତୌଲି ଓ ପତୌର କୋର ରେଞ୍ଜର ସଲଖନିୟା ବିଟର ଆରଏଫ ୩୮୪ ଓ ପିଏଫ ୧୮୪ଏରେ ୪ ଜଙ୍ଗଲୀ ହାତୀଙ୍କ ମୃତଦେହ ମିଳିଥିଲା । ପିସିସିଏଫ ବନ୍ୟ ଅଧିକାରୀ ବିଜୟ ଏନ ଅମ୍ବାଡେ କହିଛନ୍ତି, ଘଟଣା ସମ୍ପର୍କରେ ଜଣାପଡିବା ପରେ ଆଖପାଖ ଅଞ୍ଚଳରେ ସର୍ଚ୍ଚ କରାଯାଇଥିଲା । ସେତେବେଳେ ୫ ଅନ୍ୟ ହାତୀଙ୍କୁ ଅସୁସ୍ଥ ଅବସ୍ଥାରେ ଜମିରେ ପଡିଥିବା ଦେଖିବାକୁ ମିଳିଥିଲା ।
ଗୋଟିଏ ପଲରେ ୧୩ ହାତୀଙ୍କ ମଧ୍ୟରୁ ୪ଟିଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଅସୁସ୍ଥ ଓ ଅନ୍ୟ ୪ ସୁସ୍ଥ ଥିବା ଅଧିକାରୀ ସୂଚନା ଦେଇଛନ୍ତି । ଏହି ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ପୁରୁଷ ଓ ୩ଟି ମାଦା ଥିବା ସୂଚନା ରହିଛି । ଏତେ ସଂଖ୍ୟାରେ ହାତୀ ଏକା ସାଙ୍ଗରେ ମରିବା ଓ ଅସୁସ୍ଥ ହେବାକୁ ନେଇ ଜବଲପୁର ବନ୍ୟସ୍ୱାସ୍ଥ୍ୟ ବିଶେଷଜ୍ଞ, ଫରେନ୍ସିକ ଟିମ ଓ ବନ ଅଧିକାରୀ ତଦନ୍ତ କରି ସେମାନଙ୍କ ଶରୀରରେ ବିଷ ମିଳିଥିବା ଜଣାପଡିଛି । ଅଧିକା ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି କୁହାଯାଇଛି ।
ଏହାର ତଦନ୍ତ ପାଇଁ ଏକ ଏସଟିଏପ ଟିମ ମଧ୍ୟ ଗଠନ କରାଯାଇଛି । ଏଥିରେ ୧୦୦ ଜଣ ଅଧିକାରୀ ଓ କର୍ମଚାରୀ ରହିଛନ୍ତି ।