fbpx

Team Indiaର ନୂଆ ଅଧିନାୟକ ତାଲିକାରେ ୪ ଜଣ ଷ୍ଟାର ଖେଳାଳି: ରୋହିତଙ୍କ ସ୍ଥାନରେ କିଏ?

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଉପରେ ଭାରତୀୟ ଟିମ୍ କବଜା କରିସାରିଛି । ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୪୧ ରନରେ ଏହି ମ୍ୟାଚରେ ବିଜୟ ହୋଇଛି । ତେବେ ଏହାପରେ ମଧ୍ୟ ରୋହିତଙ୍କ ନେତୃତ୍ୱକୁ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳ ପାଇଁ ନୂଆ ଅଧିନାୟକ ବାଛିବା ନେଇ ଦାବି କରାଯାଉଛି । ତେବେ ଏହି ଅଧିନାୟକ ତାଲିକାରେ ବର୍ତ୍ତମାନ ୪ ଜଣ ଷ୍ଟାର ଖେଳାଳି ସାମିଲ ଅଛନ୍ତି । ଏବେ ପ୍ରଶ୍ନ କିଏ ହେବେ ଦଳର ପରବର୍ତ୍ତୀ ଅଧିନାୟକ?

କୁହାଯାଉଛି ଆସନ୍ତା ଦିନିକିଆ ବିଶ୍ୱକପ ପରେ ରୋହିତଙ୍କ ସ୍ଥାନରେ ନୂଆ ଅଧିନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବ ବିସିସିଆଇ । ଯୁବ ଅଧିନାୟକଙ୍କ ମଧ୍ୟରେ ୪ ଜଣ ଖେଳାଳି ଏବେ ଟିମ ମ୍ୟାନେଜମେଣ୍ଟର ନଜରରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ହିଁ ଜଣେ ଆଗାମୀ ଭବିଷ୍ୟତରେ ଅଧିନାୟକ ଭୂମିକାରେ ନଜର ଆସିପାରନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା: ଭବିଷ୍ୟତରେ ଭାରତର ନୂଆ ଅଧିନାୟକଙ୍କ ତାଲିକାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ନାଁ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ପ୍ରାୟତଃ ଟି-୨୦ ଫର୍ମାଟରେ ତାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ଆଇପିଏଲ ବ୍ୟତୀତ ଟିମ ଇଣ୍ଡିଆ ମଧ୍ୟ ତାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିଛି । ତେଣୁ ଆଗାମୀ ଦିନରେ ହାର୍ଦ୍ଦିକ ଦଳର ନୂଆ ଅଧିନାୟକ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ୨୯ ବର୍ଷ ବୟସରେ ନେତୃତ୍ୱ ନେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇ ପାରନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ତାଙ୍କୁ ଦଳର ନେତୃତ୍ୱ ଦିଆଯାଇଛି ।

ଋତୁରାଜ ଗାଏକ୍ୱାଡ: ଭାରତର ଅଧିନାୟକ ତାଲିକାରେ ଏବେ ଚେନ୍ନାଇ ସୁପର କିଙ୍ଗସ ତଥା ଭାରତର ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ମଧ୍ୟ ସାମିଲ ହୋଇଛନ୍ତି । ଆସନ୍ତା ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ଋତୁରାଜଙ୍କ କାନ୍ଧରେ ଦଳର ନେତୃତ୍ୱ ଦାୟିତ୍ୱ ଦେଇଛି । ଗାଏକ୍ୱାଡଙ୍କ ନେତୃତ୍ୱରେ ଭାରତ ଏସିଆନ ଗେମ୍ସରେ ଚୀନ ଗସ୍ତ କରିବ । ତେଣୁ ତାଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଅଧିନାୟକ ଭାବରେ ଦେଖିପାରେ ଟିମ ଇଣ୍ଡିଆ ।

ୟଶ ଧୂଲ: ହାର୍ଦ୍ଦିକ ଏବଂ ଋତୁରାଜଙ୍କ ବ୍ୟତୀତ ଅଧିନାୟକ ଦୌଡରେ ଇମର୍ଜିଙ୍ଗ ଷ୍ଟାର ୟଶ ଧୂଲ ମଧ୍ୟ ସାମିଲ ହୋଇଛନ୍ତି । ୨୦ ବର୍ଷୀୟ ୟଶଙ୍କୁ ଦଳର ଅଧିନାୟକ ଭାବରେ ଇମର୍ଜିଙ୍ଗ ଏସିଆ କପ୍ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ଇମର୍ଜିଙ୍ଗ ଏସିଆ କପେ ଟୁର୍ଣ୍ଣାମେଣ୍ଟରେ ଭାରତ-ଏ ଦଳ ୟଶ ଧୂଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ । ତେବେ ସେ ମଧ୍ୟ ଦଳରେ ଅଧିନାୟକ ହେବାର କ୍ଷମତା ରଖିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ନେସନାଲ ଟିମରେ ସୁଯୋଗ ମିଳିପାରିନାହିଁ । ତେଣୁ ନେତୃତ୍ୱ ନେବା ପାଇଁ ତାଙ୍କୁ ଅଧିକ ସମୟ ଲାଗିପାରେ ।

ସୂଚନା ଥାଉ କି, ଭାରତୀୟ ଦଳ ପାଇଁ ପୂର୍ବରୁ ୩ ଜଣ ଷ୍ଟାର ଖେଳାଳି ଭବିଷ୍ୟତରେ ଅଧିନାୟକ ପାଇଁ ବେଶ୍ ଦାବିଦାର ଥିଲେ । କିନ୍ତୁ ବିଭିନ୍ନ କାରଣରୁ ସେମାନେ ଏବେ ଦଳରୁ ବାହାରେ ରହିଛନ୍ତି । ପ୍ରଥମତଃ ଷ୍ଟାର ୱିକେଟ କିପର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଦଳରୁ ବାଦ୍ ପଡିଥିବା ବେଳେ କେ.ଏଲ ରାହୁଲ ଓ ଶ୍ରେୟସ ଅୟର ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡିଛନ୍ତି । ସେମାନଙ୍କୁ ଦଳର ନେତୃତ୍ୱ ଦିଆଯିବା ନେଇ ଜୋର ଧରିଥିଲା ଚର୍ଚ୍ଚା । ତେବେ ଏହି ୩ ଜଣ ଦଳକୁ ପୁଣିଥରେ କମବ୍ୟାକ କରିବା ପରେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଦାୟିତ୍ୱ ନେଇପାରନ୍ତି ।

Get real time updates directly on you device, subscribe now.