fbpx

ଟିକାକରଣ ବୃଦ୍ଧି ପାଇଁ ମୋଦୀଙ୍କୁ ବାଟ ବତାଇଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ସରକାର କହୁଛନ୍ତି କିନ୍ତୁ ଚିନ୍ତା ବଢ଼ିଚାଲିଛି । ଏଭଳି ସ୍ଥଳେ ଦେଶରେ ଟିକାକରଣକୁ ଆହୁରି ବ୍ୟାପକ କରାଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ଏହିଭଳି ସନ୍ଧିକ୍ଷଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୪ଟି ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦେଶର ରାଜଧାନୀ ଦିଲ୍ଲୀରେ ୧୮-୪୪ ବର୍ଗର ଟିକାକରଣକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପଡ଼ିବ । କାରଣ ଆବଶ୍ୟକ ତୁଳନାରେ ଆମ ନିକଟରେ ଟିକା ଉପଲବ୍ଧ ନାହିଁ । ଦେଶକୁ ତୃତୀୟ କରୋନା ତରଙ୍ଗରୁ ସୁରକ୍ଷା ଦେବାକୁ ହେଲେ ଟିକାକରଣକୁ ତ୍ୱରିତ ତଥା ବ୍ୟାପକ କରିବାକୁ ହେବ ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ୧୮-୪୪ ବର୍ଗ ପାଇଁ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ସମସ୍ତ ଡୋଜ୍ ବ୍ୟବହାର ହୋଇସାରିଛି । କିଛି ସ୍ୱଳ୍ପ ସଂଖ୍ୟାରେ ଥିବା ଡୋଜ୍ ଶନିବାର ସନ୍ଧ୍ୟା ସୁଦ୍ଧା ଟିକାକରଣରେ ବ୍ୟବହୃତ ହୋଇଯିବ । ଏହା ବଡ଼ ଦୁଃଖର କାରଣ ଯେ ଏନେଇ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିବା ପରେ ମଧ୍ୟ ସୁଫଳ ମିଳିପାରିନି । ଯେତେଶୀଘ୍ର ଆମକୁ ଟିକା ମିଳିବ, ଆମେ ସମ୍ପୃକ୍ତ ଟିକାକରଣ କେନ୍ଦ୍ରକୁ ପୁନଃ ଚାଲୁ କରିବୁ ବୋଲି କେଜ୍ରିୱାଲ୍ ପ୍ରକାଶ କରିଛନ୍ତି । ପ୍ରତି ମାସରେ ଦିଲ୍ଲୀକୁ ୮୦ ଲକ୍ଷ ଡୋଜ୍ ଦରକାର ପଡୁଥିବାବେଳେ ମେ ମାସରେ ମିଳିଛି ମାତ୍ର ୧୬ ଲକ୍ଷ ଡୋଜ୍ । ସେହିପରି ଜୁନ୍ ମାସରେ ଆମ ଆବଶ୍ୟକଠାରୁ କମାଇ ମିଳିଛି ମାତ୍ର ୮ ଲକ୍ଷ ଡୋଜ୍ । ଯଦି ଆମକୁ ଏଭଳି ୮ ଲକ୍ଷ ଡୋଜ୍ ମିଳିବ, ତେବେ ଦିଲ୍ଲୀକୁ ଟିକାକରଣ ପାଇଁ ପ୍ରାୟ ୩୦ ମାସ ଲାଗିଯିବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଦିଲ୍ଲୀରେ ସଂକ୍ରମଣ କିଭଳି ସ୍ଥିତିରେ ରହିଛି ତାହା କଳ୍ପନାତୀତ ହୋଇଥିବାବେଳେ ଆଉ କେତେଜଣଙ୍କ ଜୀବନ ହରାଇବାକୁ ପଡ଼ିବ ବୋଲି ମଧ୍ୟ କେନ୍ଦ୍ର ଉଦ୍ଦେଶ୍ୟରେ ସେ ପ୍ରଶ୍ନ ଉଠାଇଛନ୍ତି ।

ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଜ୍ରିୱାଲ୍ ଦେଇଛନ୍ତି ୪ଟି ପରାମର୍ଶ:

  • ଦେଶର ସମସ୍ତ ଟିକା ପ୍ରସ୍ତୁତକାରୀ କମ୍ପାନିଙ୍କୁ ୨୪ ଘଣ୍ଟା ମଧ୍ୟରେ ନିର୍ଦ୍ଦେଶ ଦିଆଯାଉ କି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା ଉତ୍ପାଦନ କରି ଷ୍ଟକ୍ ରଖିବେ ।
  • ବିଦେଶୀ ଟିକା ନିର୍ମାତାଙ୍କୁ ରପ୍ତାନି ପାଇଁ ୨୪ ଘଣ୍ଟା ମଧ୍ୟରେ ଅନୁମତି ପ୍ରଦାନ କରାଯାଉ ।
  • କେତେକ ଦେଶ ବହୁ ସଂଖ୍ୟକ ଟିକା ଗଚ୍ଛିତ ରଖିଥିବାରୁ ଭାରତକୁ ଦେବା ପାଇଁ କେନ୍ଦ୍ର ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଉ ।
  • ଅନ୍ତର୍ଜାତୀୟ ଟିକା ନିର୍ମାତା କମ୍ପାନିଙ୍କୁ ଭାରତରେ ଉତ୍ପାଦନ ପାଇଁ ତୁରନ୍ତ ଅନୁମତି ଦିଆଯାଉ ।

ଉଲ୍ଲେଖଯୋଗ୍ୟଯେ, ଚଳିତ ସପ୍ତାହ ଆରମ୍ଭରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଆସନ୍ତା ଜୁନ୍ ୧୫ ଯାଏଁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଥିସହ କୋୱିନ୍ ଡିଜିଟାଲ୍ ଆପ୍ ମାଧ୍ୟମରେ ସ୍ଲଟ୍ ବୁକ୍ ପାଇଁ ରାଜ୍ୟମାନେ ତାରିଖ ସ୍ଥିର କରିବାକୁ କୁହାଯାଇଥିଲା । ସେପଟେ ଦିଲ୍ଲୀରେ ପୂର୍ବାପେକ୍ଷା ସଂକ୍ରମଣ ହାର କମିଥିଲେ ମଧ୍ୟ ଗତ ଏପ୍ରିଲ୍ ୧୯ରୁ ଲକଡାଉନ୍ ଲାଗୁରହିଛି ।

Get real time updates directly on you device, subscribe now.