ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ; 5ଜଣଙ୍କ ମୃତ୍ୟୁ, ଚାପି ହୋଇ ରହିଛନ୍ତି ଅନେକ..

ଭଣ୍ଡାରା ଜବାହାରନଗର ସ୍ଥିତ ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ଫୋରଣ । ଫସି ରହିଛନ୍ତି 12 ଜଣ ।

ମୁମ୍ବାଇ: ମହାରାଷ୍ଟ୍ରର ଏକ ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ଭଣ୍ଡାରା ଜବାହାରନଗର ସ୍ଥିତ କାରଣଖାନାରେ ବିସ୍ଫୋରଣ ହେବା ଫଳରେ ଅଧାଡଜନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ସକାଳୁ ଘଟିଥିଲା ଦୁର୍ଘଟଣା-  ସକାଳ 10ଟା 30 ମିନିଟରେ ଏଠାରେ ବିସ୍ଫୋରଣ ହୋଇଛି । ଏନେଇ ଜିଲ୍ଲାପାଳ ସଞ୍ଜୟ କୋଲଟେ ସୂଚନା ଦେଇଛନ୍ତି । ତେବେ ଆହୁରି ଅନେକ ସେଠାରେ ଫସିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବିସ୍ଫରଣ ପରେ ଛାତ ଭୁଶୁଡିପଡିଥିଲା-  ତେବେ ଜିଲ୍ଲାପାଳଙ୍କ କହିବା ଅନୁସାରେ, ଯେତେବେଳେ ବିସ୍ଫୋରଣ ହୋଇଥିଲା ସେତେବେଳେ ଛାତ ଭୁଶୁଡି ପଡିଥିଲା । ଫଳରେ ଅତି କମରେ 12 ଜଣେ ଲୋକ ତଳେ ଚାପି ହୋଇଯାଇଥିଲେ । ତେବେ ଭଗ୍ନାବଶେଷ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 2 ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଚା ଜାରି ରହିଥିବା କଥା ସେ କହିଛନ୍ତି ।

ତେବେ ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ, ଏହା 5 କିଲୋମିଟର ଯାଏଁ ଶୁଣା ଯାଇଥିଲା । ତେବେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କାରଖାନା ବାହାରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।