ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫୫ଟି ହସ୍ତଶିଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ସଂଶୋଧିତ ଅନୁମୋଦିତ ହସ୍ତଶିଳ୍ପଗୁଡ଼ିକର ତାଲିକା ପ୍ରକାଶ ପାଇଛି । ୫୫ଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରାଯାଇଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଏହାର ପ୍ରସ୍ତାବ ରଖିଥିଲେ । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ପୂର୍ବରୁ ୫୧ଟି ହସ୍ତଶିଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ଏବେ ଉକ୍ତ ତାଲିକାକୁ ସଂଶୋଧନ କରାଯାଇ ନୂତନ ଭାବେ ୫୫ଟି ହସ୍ତଶିଳ୍ପକୁ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟ ସରକାର ଏହି ଅନୁମୋଦିତ ହସ୍ତଶିଳ୍ପଗୁଡ଼ିକର ବିକାଶ ପାଇଁ ବିଶେଷ ଧ୍ୟାନ ଦେବା ସହ ସେଥିରେ କାର୍ଯ୍ୟ କରୁଥିବା କାରିଗରମାନଙ୍କୁ ନିୟମାନୁଯାୟୀ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ ।
ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଅନୁମୋଦିତ ହସ୍ତଶିଳ୍ପ ମଧ୍ୟରେ ରହିଛି କାରୁକାର୍ଯ୍ୟପୂର୍ଣ୍ଣ ଚମଡ଼ା କାମ, ଚାନ୍ଦୁଆ, କାରୁକାର୍ଯ୍ୟପୂର୍ଣ୍ଣ ସପ, କାରୁକାର୍ଯ୍ୟପୂର୍ଣ୍ଣ କାଠ କାମ, ବାଉଁଶ କାମ, ବାଟିକ୍ ଛାପା କାମ, ଗୁଆ କାମ, କଂସା ଓ ପିତ୍ତଳ କାମ, ମାଟି କଣ୍ଢେଇ, କପଡ଼ା ଫୁଲ, କପଡ଼ା ତାଳିପକା କାମ, କପଡ଼ା କଣ୍ଢେଇ, ନଡ଼ିଆ ସଢ଼େଇ କାମ, କତା ହସ୍ତଶିଳ୍ପ, ବେତ କାମ, ଢୋକ୍ରା କାମ, ସୂଚୀ କାମ, କାଇଁଚ କାମ, ଦରି ଓ ସତରଞ୍ଜି କାମ, ଗୋପା କାମ, ହସ୍ତ ନିର୍ମିତ ଅଳଙ୍କାର, ଜୟଖାଡ଼ି କାମ, ଶିଙ୍ଗ କାମ, ଝୋଟ ନିର୍ମିତ ହସ୍ତଶିଳ୍ପ, କିଆ ପତ୍ରରୁ ପ୍ରସ୍ତୁତ ହସ୍ତଶିଳ୍ପ, ଲାଖ କାମ, ପ୍ରାକୃତିକ ତନ୍ତୁ ନିର୍ମିତ ହସ୍ତଶିଳ୍ପ (ନାଳିଆ ଘାସ, ସିସଲ ଘାସ, ହେଂସୁଆତି), ଧାନରୁ ତିଆରି ହସ୍ତଶିଳ୍ପ, ଡଙ୍ଗରିଆ କନ୍ଧ ଚିତ୍ରକଳା, ଗଣ୍ଡ ଚିତ୍ରକଳା, ଜୁଆଙ୍ଗ ଚିତ୍ରକଳା, କୋହ୍ଲ ଚିତ୍ରକଳା, କୁଟିଆ କନ୍ଧ ଚିତ୍ରକଳା, ଲାଞ୍ଜିଆ ସଉରା ଚିତ୍ରକଳା, ଓରାଓଁ ଚିତ୍ରକଳା, ସାନ୍ତାଳ ଚିତ୍ରକଳା, ସଉରା ଚିତ୍ରକଳା, ତାଳପତ୍ର ତିଆରି ସାଜସଜ୍ଜା ଜିନିଷ, ତାଳପତ୍ର ଖୋଦେଇ, କାଗଜ ମୁଖା, ପଟ୍ଟଚିତ୍ର, ଗଛମୂଳରୁ ତିଆରି ହସ୍ତଶିଳ୍ପ, ଶଙ୍ଖ ଶାମୁକା କାମ, ରୂପା ତାରକସି କାମ, ସବାଇ ଘାସ କାମ, ସୋଲ କାମ, ପଥର ଖୋଦେଇ, ଛଣରୁ ତିଆରି ହସ୍ତଶିଳ୍ପ, ଟେରାକୋଟା ଏବଂ ମାଟିପାତ୍ର କାମ, ଯାତ୍ରା ପୋଷାକ, ଆଦିବାସୀ ଅଳଙ୍କାର, ତୁମ୍ବା କାମ, କାଠ ଖୋଦେଇ, ଚିତ୍ରିତ କାଠ କଣ୍ଢେଇ ଏବଂ ଲୌହ ଧାତୁ ନିର୍ମିତ ହସ୍ତଶିଳ୍ପ ।