fbpx

ପିଏମ ଗତିଶକ୍ତି ୫୮ତମ ନେଟୱାର୍କ ପ୍ଲାନିଂ ଗ୍ରୁପ ବୈଠକରେ ଚାରିଟି ପ୍ରକଳ୍ପ ଉପରେ ଆଲୋଚନା: ଓଡିଶାର ନୂଆ ରେଳପଥ ପାଇଁ ଖର୍ଚ୍ଚ ହେବ ୪୦୦୦କୋଟି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ (ଡିପିଆଇଆଇଟି) ତଥା ଲଜିଷ୍ଟିକ୍ସ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସୁମିତା ଦୱାରାଙ୍କ ଅଧ୍ୟକ୍ଷତାରେ ୫୮ତମ ନେଟୱାର୍କ ପ୍ଳାନିଙ୍ଗ ଗ୍ରୁପ (ଏନ୍‌ପିଜି) ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ଏହି ନେଟୱାର୍କ ପ୍ଲାନିଂ ଗ୍ରୁପ ବୈଠକରେ ସଡକ ପରିବହନ ଓ ରାଜମାର୍ଗ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଟେଲି ଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ରାଜ୍ୟମାନଙ୍କର ନୋଡାଲ ଅଧିକାରୀଗଣ ଭାଗ ନେଇ ନିଜର ମତାମତ ଉପସ୍ଥାପନ କରିଥିଲେ ।

ଏହି ବୈଠକରେ ଓଡିଶାରେ ସମ୍ପୂର୍ଣ୍ଣ ନୂଆ ରେଳପଥ ନିର୍ମାଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହି ରେଳପଥ ନିର୍ମାଣ ପାଇଁ ୪୦୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚହେବ । ଏହି ରେଳପଥ ନିର୍ମାଣ ଦ୍ୱାରା ଓଡିଶାର ବନ୍ଦରଗୁଡିକୁ ରେଳ ସଂଯୋଗ ସୁବିଧା ବଢିବା ସହ ମାଲ ପରିବହନ ବ୍ୟବସ୍ଥା ସୁଗମ ହେବ । ଏହାଛଡା ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଖଣି ଅଞ୍ଚଳରୁ ବନ୍ଦରକୁୁ ସୁବିଧାରେ ପରିବହନ କରିବାରେ ଏହି ନୂଆ ରେଳପଥ ସହାୟକ ହେବ । ଏହା ଦ୍ୱାରା ଓଡିଶାରେ ମଲ୍ଟିମୋଡାଲ କନେକ୍ଟିଭିଟି ବଢିବା ସହିତ ଶିଳ୍ପାୟନ ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ ।

ଆଜିର ବୈଠକରେ ମଧ୍ୟ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଉତ୍ତର ପ୍ରଦେଶ ଓ କେରଳରେ ନିର୍ମିତ ହେବାକୁ ଥିବା ବୃହତ୍ ସଡକ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ସେହି ସଡକ ପ୍ରକଳ୍ପ ଏସବୁ ରାଜ୍ୟର ଖଣି, କୃଷି ଓ ଶିଳ୍ପାଞ୍ଚଳ ସହିତ ଅନଗ୍ରସର ଇଲାକାକୁ ଯୋଡି ନିର୍ମିତ ହେବାକୁ ଥିବାରୁ ସମ୍ପୃକ୍ତ ଅଞ୍ଚଳର ଶିଳ୍ପାୟନ ଓ ଅର୍ଥନୀତିକ ବିକାଶ ପ୍ରକ୍ରିୟାରେ ଏହା ସହାୟକ ହେବ । ଏହି ସଡକ ପ୍ରକଳ୍ପ ମଧ୍ୟ ପରିବହନ ବ୍ୟବସ୍ଥାକୁ ସେହି ଅଞ୍ଚଳରେ ସୁବ୍ୟବସ୍ଥିତ କରିବା ସହିତ ସ୍ୱାସ୍ଥ୍ୟସେବା ଶିକ୍ଷାବିକାଶ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ବିଶେଷକରି ଏହି ସଡକ ପ୍ରକଳ୍ପ ଦ୍ୱାରା ଅନେକ ଗ୍ରାମାଞ୍ଚଳକୁ ସଂଯୋଗ ବ୍ୟବସ୍ଥା ସୁଗମ ହୋଇ ସେ ଅଞ୍ଚଳର ଭାଗ୍ୟୋଦୟ ହେବ । ଲୋକେ ଅଳ୍ପ ସମୟରେ ସହଜେରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ଏବଂ ସେମାନଙ୍କ ଅର୍ଥନୀତିକ ପ୍ରକ୍ରିୟା ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିବ । ସେ ଅଞ୍ଚଳରେ ନୂଆ ନୂଆ ଶିଳ୍ପଦ୍ୟୋଗ ସ୍ଥାପନ ସହ ନିଯୁକ୍ତି ସୁଯୋଗ ବଢିବ ।

ଏସବୁ ଅଞ୍ଚଳରେ ଆଞ୍ଚଳିକ ବିକାଶ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏହି ବୈଠକରେ ସ୍ୱତନ୍ତ୍ର ସଚିବ ସମ୍ପୃକ୍ତ ମନ୍ତ୍ରଣାଳଗୁଡିକ ଅନୁରୋଧ କରିଥିଲେ । ସମ୍ପୃକ୍ତ ରାଜ୍ୟ ସରକାରମାନେ ମଧ୍ୟ ଆବଶ୍ୟକ ସାହାଯ୍ୟ ସହଯୋଗ ଏଥିପାଇଁ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁ ଅଞ୍ଚଳର ଭିତ୍ତିଭୂମିର ଅଭାବ ରହିଚି ତାହାକୁ ଚିହ୍ନଟ କରି ସେଥି ପାଇଁ ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ କହିବା ସହିତ ଏକ୍ଷେତ୍ରରେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ ।

ପିଏମ୍ ଗତିଶକ୍ତି ଯୋଜନାରେ ସମନ୍ୱିତ ଯୋଜନାକୁ ଅଗ୍ରାଧିକାର ଦିଆଯାଉଛି । ଏଥିରେ ମଲ୍ଟି ମୋଡାଲ କନେକ୍ଟିଭିଟି ଅଗ୍ରାଧିକାର ପାଇଛି । ଏହି ମଲ୍ଟି ମୋଡାଲ ବ୍ୟବସ୍ଥାରେ ରେଳ, ସଡକ,ବନ୍ଦର ଓ ଅନ୍ୟାନ୍ୟ ପରିବହନ ଭିତ୍ତିଭୂମି ଅନ୍ତର୍ଭୁକ୍ତ । ଯେଉଁ ଅଞ୍ଚଳ ଅବିକଶିତ ଓ ଯେଉଁଠି ସଂଯୋଗ ଓ ଭିତ୍ତିଭୂମି ବ୍ୟବସ୍ଥା ନାହିଁ ତାହାକୁ ଚିହ୍ନଟ କରି ମୋଡାଲ କନେକ୍ଟିଭିଟି ସୁବିଧା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତଭାବେ କାର୍ଯ୍ୟ କରାଯାଉଛି । ଡାଟାକୁ ଆଧାର କରି ସକ୍ରିୟ ସହଯୋଗ ଭିତ୍ତିରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଏହାର ପ୍ରଗତି ସନ୍ତୋଷଜନକ ରହିଛି ।

Get real time updates directly on you device, subscribe now.