fbpx

ରେକର୍ଡ ଭାଙ୍ଗିଲା ତାତି, ବେହୋସ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୬୦ ଛାତ୍ରଛାତ୍ରୀ

ପାଟନା: ବିହାରରେ ପ୍ରଚଣ୍ଡ ଖରା ଓ ହିଟ୍‌ୱେଭ୍ ସତ୍ତ୍ୱେ ବି ସରକାରୀ ସ୍କୁଲ ଖୋଲା ରହିଛି । ଫଳରେ ପିଲାମାନଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି । ବିହାରର ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଔରଙ୍ଗାବାଦରେ ତାପମାତ୍ରା ୪୮ଡିଗ୍ରୀ ସେଲସିୟସ ପହଞ୍ଚିଯାଇଛି । କିନ୍ତୁ ଏହାରି ମଧ୍ୟରେ ବିହାରର ସରକାରୀ ସ୍କୁଲ ଖୋଲା ରହିଛି । ପ୍ରଚଣ୍ଡ ତାତି ସହ୍ୟ କରି ନ ପାରି ସ୍କୁଲ ପିଲାମାନେ ବେହୋସ ହୋଇ ପଡୁଛନ୍ତି । ମିଳିଥିବା ସୂଚନା ଅନୁସାରେ ବିହାରର ଅଲଗା ଅଲଗା ଜିଲ୍ଲାରେ ସରକାରୀ ସ୍କୁଲରେ ପ୍ରାୟ ୬୦ଜଣ ଛାତ୍ରଛାତ୍ରୀ ପ୍ରଚଣ୍ଡ ତାତି ସହ୍ୟ କରି ନ ପାରି ବେହୋସ ହୋଇଯାଇଛନ୍ତି । ଏବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ରାଜଧାନୀ ପାଟନାର ବାଳିକା ମଧ୍ୟବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍କୁଲରେ ଏସି ଲଗାଇବାକୁ ଦାବୀ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଏତେ ଗରମରେ ପାଠ ପଢିବା ଅସମ୍ଭବ ହୋଇପଡିଛି । ତେଣୁ ସ୍କୁଲରେ ଏସି ଲଗାଯାଉ ଅନ୍ୟଥା ସ୍କୁଲ ବନ୍ଦ କରି ଦିଆଯାଉ ବୋଲି ପିଲାମାନେ ଦାବୀ କରିଛନ୍ତି ।

ଅନ୍ୟପକ୍ଷରେ ଅଭିଭାବକମାନେ ସରକାରଙ୍କ ଏପରି ନୀତିରେ ଉତ୍ତେଜିତ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଓ ସ୍କୁଲ ବନ୍ଦ କରିବାକୁ ଦାବୀ କରିଛନ୍ତି । ଅରିୟରୀ ପ୍ରଖଣ୍ଡ ମନକୋଲ ଗ୍ରାମରେ ଅବସ୍ଥିତ ଉତକ୍ରମିତ ମଧ୍ୟ ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ୭ରୁ ଅଧିକ ଛାତ୍ର ବେହୋସ ହୋଇ ତଳେ ପଡିଯାଇଥିଲେ । ଏହାକୁ ନେଇ ସ୍କୁଲରେ ଚହଳ ଖେଳିଯାଇଥିଲା । ୨ ଜଣ ଛାତ୍ରଙ୍କୁ ଗମ୍ଭୀର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇବା ମାତ୍ରେ ପିଲାଙ୍କ ଅଭିଭାବକ ସ୍କୁଲରେ ପହଞ୍ଚି ଗଣ୍ଡଗୋଳ କରିଥିଲେ ।

Get real time updates directly on you device, subscribe now.