ଜାତୀୟ ଯୁବ ମହୋତ୍ସବରେ ଓଡ଼ିଶାର ୭୫ ପ୍ରତିଯୋଗୀ ଦେଖାଇବେ ଜଲୱା

ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଜାତୀୟ ଯୁବ ମହୋତ୍ସବ ୨୦୨୫ ଆୟୋଜିତ ହେବ। ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ କ୍ରୀଡ଼ା ବିଭାଗର ଏହା ଏକ ବଡ଼ ପ୍ରୟାସ ।

ଭୁବନେଶ୍ବର: ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଜାତୀୟ ଯୁବ ମହୋତ୍ସବ ୨୦୨୫ ଆସନ୍ତା ଜାନୁୟାରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଏହି ଉତ୍ସବରେ ଓଡ଼ିଶାର ୭୫ ଯୁବ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିବେ। ଏଥିପାଇଁ ଏହି ଟିମ ଦିଲ୍ଲୀ ଯାଉଛି । ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ କ୍ରୀଡ଼ା ବିଭାଗର ଏହା ଏକ ବଡ଼ ପ୍ରୟାସ ।

ଏନେଇ ରାଜ୍ୟ ଯୁବସେବା ଓ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଟେନିସ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି ।

ଜାତୀୟସ୍ତରୀୟ ପ୍ରତିଯୋଗିତା: ଜାତୀୟ ଯୁବ ମହୋତ୍ସବରେ ଗଳ୍ପ, ନୃତ୍ୟ, ବକ୍ତୃତା, ସଂଗୀତ, ବିଜ୍ଞାନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ୭୫ ଜଣ ଯୁବକ ଯୁବତୀ ଭାଗ ନେଇଛନ୍ତି ।

ବିଭିନ୍ନ ବିଭାଗରେ ଉତ୍କର୍ଷ ଲାଭ କରିଥିବା ଯୁବକ-ଯୁତୀଙ୍କ ମଧ୍ୟରୁ ୭୫ ଜଣଙ୍କୁ ଚୟନ କରାଯାଇ ଦିଲ୍ଲୀ ପଠାଯାଇଛି ।

ଏହା ପୂର୍ବରୁ ଯୁବସେବା ଓ କ୍ରୀଡ଼ା ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା ଯେଉଁଥିରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିଲ୍ଲୀ ଯିବାକୁ ଥିବା ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା ପାଇଁ ଶୁଭକାମନା ଜଣାଇଥିଲେ ।

ଉତ୍ସାହିତ କଲେ ରାଜ୍ୟପାଳ: ଦୃଢ଼ ମନୋବଳ ନେଇ ଜାତୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବାକୁ ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ ।

ରାଜ୍ୟପାଳ କହିଛନ୍ତି ଯେ, ବିକଶିତ ଭାରତ ଏକ ଯୁବ ସମୁଦାୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୁବକମାନେ ହେଉଛନ୍ତି ଭବିଷ୍ୟତର ନିର୍ମାତା ।

ଯୁବପିଢ଼ିଙ୍କ ଉପରେ ଆଗାମୀ ଭବିଷ୍ୟତ ନିର୍ଭର କରୁଛି: କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ, ‘ଉତ୍କର୍ଷ ଲାଭ କରିଥିବା ଯୁବକ-ଯୁତୀଙ୍କ ମଧ୍ୟରୁ ୭୫ ଜଣଙ୍କୁ ଚୟନ କରାଯାଇ ଦିଲ୍ଲୀ ପଠାଯାଇଛି । ୨୦୩୬ରେ ଯେଉଁ ବିକଶିତ ଓଡ଼ିଶା ନିର୍ମିତ ହେବ, ସେଥିରେ ସମସ୍ତଙ୍କର ସକ୍ରିୟ ଅବଦାନ ରହିବ ।’

ଉତ୍ସାହିତ ପ୍ରତିଯୋଗୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ପ୍ରତିଯୋଗୀମାନେ ବହୁତ ଉତ୍ସାହିତ ଅଛନ୍ତି । ସେମାନେ ଉତ୍ତମ ପ୍ରଦର୍ଶନ ଦେବେ ବୋଲି ଆଶାବାଦୀ ଅଛନ୍ତି ।