fbpx

ଚାମ୍ପିୟନ୍ସ ଟ୍ରଫି ୨୦୨୫: ୮ଟି ଟିମ୍ ଯୋଗ୍ୟତା ଅର୍ଜନ କଲେ, ୨ଟି ଟିମ୍ ବାଦ୍ ପଡ଼ିଲେ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପର ଅନ୍ତିମ ଲିଗ ମ୍ୟାଚରେ ଆଜି ଭାରତ ପ୍ରତିପକ୍ଷ ନେଦରଲାଣ୍ଡସକୁ ୧୬୦ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି । ଆଜିର ବିଜୟ ଫଳରେ ଟିମ୍ ଇଣ୍ଡିଆ ସମସ୍ତ ୯ଟି ମ୍ୟାଚ ବିଜୟ ସହିତ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହିଛି । ଆସନ୍ତା ୧୫ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ଓ ୧୬ ତାରିଖରେ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ଲଢ଼େଇ ହେବ ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆସନ୍ତା ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆୟୋଜନ କରିବ । ଚାମ୍ପିୟନ୍ସ ଟ୍ରଫି ପାଇଁ ଚଳିତ ବିଶ୍ୱକପର ଟପ ୮ଟି ଟିମ୍ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଦୁଇଟି ଟିମ୍ ବାଦ୍ ପଡ଼ିଛନ୍ତି । ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ଇଂଲଣ୍ଡ ଓ ବାଂଲାଦେଶ ଏଥିପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟପକ୍ଷରେ ପଏଣ୍ଟ ଟେବୁଲ ନବମ ସ୍ଥାନରେ ରହିଥିବା ଶ୍ରୀଲଙ୍କା ଓ ଦଶମ ସ୍ଥାନରେ ରହିଥିବା ନେଦରଲାଣ୍ଡସ ଏଥିରୁ ବାଦ୍ ପଡ଼ିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବିଶ୍ୱକପରେ ଭାରତ କ୍ରମାଗତ ୯ଟି ମ୍ୟାଚ ଜିତି ୧୮ ପଏଣ୍ଟ ହାସଲ କରିବା ସହିତ ପଏଣ୍ଟ ଟେବୁଲରେ ଟପରେ ରହିଛି । ଆସନ୍ତା ୧୫ ତାରିଖରେ ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଗତ ୨୦୧୯ ବିଶ୍ୱକପରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ଉକ୍ତ ମ୍ୟାଚରେ ଭାରତ ବିଜୟୀ ହେବା ବୋଲି ସମସ୍ତେ ଆଶା କରୁଥିଲେ ହେଁ ଶେଷରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଥିଲା । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ମଜବୁତ ରଣନୀତି ଆପ୍ଲାଏ କରିବା ଦରକାର ।

Get real time updates directly on you device, subscribe now.