fbpx

ସାନ ଭାଇର ଶବକୁ କୋଳରେ ଧରି ବସିରହିଲା ୮ ବର୍ଷର ବଡ଼ ଭାଇ

ନୂଆଦିଲ୍ଲୀ: ୮ ବର୍ଷର କୁନି ହାତରେ ଜାବୁଡ଼ି ଧରିଛି ନିଜ ସାନ ଭାଇର ଶବ । ଟିକେ ହେଲେବି ନିଜ ଠାରୁ ଅଲଗା କରିବାକୁ ଦେଉନାହିଁ । ଆଉ ଏମିତି କରିବାର କାରଣ ଜାଣିଲେ ଆପଣ ବି ହୋଇଯିବେ ଚକିତ । କାରଣ ଆମ୍ବୁଲାନ୍ସ ମିଳିଲାନି ବୋଲି ହସ୍ପିଟାଲ ପରିସରରେ ୨ ବର୍ଷର ଭାଇର ଶବକୁ ଧରି ବସିରହିଲା ୮ ବର୍ଷର ବଡ଼ ଭାଇ । ଆଉ ସେପଟେ ପୁଅର ଶବକୁ ଘରକୁ ନେବାକୁ ବାପା ଖୋଜୁଥିଲେ ଆମ୍ବୁଲାନ୍ସ । ଏଭଳି ଏକ ଦୁଃଖଦ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଏହି ହୃଦୟବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶ ମୋରିନା ଜିଲ୍ଲା ହସ୍ପିଟାଲରେ । ଘଟଣା ଅନୂଯାୟୀ ହସ୍ପିଟାଲରୁ ୩୦ କିମି ଦୂର ବଦଫରା ଗ୍ରାମର ପୂଜାରାମ ଜାତଭ ନିଜ ୨ ବର୍ଷର ପୁଅ ରାଜାକୁ ରବିବାର ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଶିଶୁଟି ଆନିମିଆ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

କିନ୍ତୁ ପୁଅର ଶବକୁ ଘରକୁ ନେବା ପାଇଁ ହସ୍ପିଟାଲ ତରଫରୁ ଆମ୍ବୁଲାନ୍ସ ମିଳିନଥଲା । ଶେଷରେ ବାହାରୁ ଆମ୍ବୁଲାନ୍ସ ଖୋଜିବାକୁ ଯାଇଥିଲେ ଜାତଭ । ଆଉ ଏହି ସମୟରେ ବଡ଼ପୁଅକୁ କହିଥିଲେ ସାନଭାଇର ମୃତଦେହକୁ ଜଗିବା ପାଇଁ । ଆଉ ତା’ପରେ ଏହି ୮ ବର୍ଷର କୁନି ଛୁଆଟି ଏଭଳି ଭାବରେ ଧରି ବସିଥିଲା ନିଜ ଭାଇର  ଶବକୁ । ହସ୍ପିଟାଲ ପାଚେରୀ ନିକଟରେ ନିଜ କୋଳରେ ଜାବୁଡ଼ି ଧରି ବସି ରହିଥିଲା ବଡ଼ଭାଇ । କୁହାଯାଉଛି ପ୍ରାୟ ୨ ଘଣ୍ଟା ଧରି ଏପରି ଭାବରେ ବସିରହିଥିଲା ପିଲାଟି । ଘଟଣାର ଏକ ଭିଡିଓ ଭାଇରାଲ ହେବାପରେ ଲୋକଙ୍କର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ହସ୍ପିଟାଲରେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ  ଲୋକେ ।

ଘଟଣାକୁ ନେଇ ମୋରିନା ଜିଲ୍ଲା ହସ୍ପିଟାଲ ରେସିଡେଣ୍ଟ ମେଡିକାଲ ଅଫିସର ସୁରେନ୍ଦ୍ର ଗୁରଜର କହିଥିଲେ ଯେ ପୂଜାରାମ ଜାତଭ ତାଙ୍କର ଦୁଇ ବର୍ଷର ପୁଅ ରାଜାକୁ ରବିବାର ଚିକିତ୍ସା ପାଇଁ ଅମ୍ବାରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ଆଣିଥିଲେ । ଜିଲ୍ଲା ହସ୍ପିଟାଲରେ ଆମ୍ବୁଲାନ୍ସ ଛାଡ଼ିବା ପରେ ଆମ୍ବୁଲାନ୍ସ ଫେରିଯାଇଥିଲା । ତେବେ ଶିଶୁଟି ଆନିମିଆ ଏବଂ ଅନ୍ୟ ରୋଗ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅଧିକାରୀ କହିଥିଲେ ଯେ ଶିଶୁର ମୃତ୍ୟୁ ପରେ ପିଲାଟିର ବାପା ଜାତଭ ଆମ୍ବୁଲାନ୍ସ ପାଇଁ ହସ୍ପିଟାଲ ଷ୍ଟାଫଙ୍କୁ କହିଥିଲେ କିନ୍ତୁ ସେହି ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା । ସେ ଆହୁରି କହିଛନ୍ତି ପରେ ପୋଲିସ ଭ୍ୟାନରେ ତାଙ୍କୁ ଘରେ ପହଞ୍ଚାଯାଇଥିଲା ।

ସେପଟେ ଘଟଣାରେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଳନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଏହି ଘଟଣାରେ ପଦକ୍ଷେପ ନେବା ସହ ରାଜ୍ୟରେ ମେଡିକାଲ ସୁବିଧାକୁ ସୁଦୃଢ଼ କରିବାକୁ ନିବେଦନ କରିଥିଲେ ।

Get real time updates directly on you device, subscribe now.