ନୂଆଦିଲ୍ଲୀ- ଆମେରିକାର ଏକ କମ୍ପାନୀ ଏବେ ଚର୍ଚ୍ଚାରେ । କମ୍ପାନୀ ତାର ୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଛଟେଇ କରିଛି । ସେମାନଙ୍କ ଭୁଲ ଏତିକି ଥିଲା କି, ସେମାନେ କମ୍ପାନୀର ସକାଳ ମିଟିଂରେ ସାମିଲ ହୋଇନଥିଲେ । କର୍ମଚାରୀଙ୍କ ବହିଷ୍କାରକୁ ନେଇ ହୋଇଥିବା ନୋଟିସ ସୋସିଆଲ ମିଡିଆ ରେଡିଟରେ ଭାଇରାଲ ହେଉଛି ।
ତେବେ ଏହି ନୋଟିସ ସେୟାର କରିଥିବା କମ୍ପାନୀର ଜଣେ ଇଣ୍ଟର୍ନ କହିଛନ୍ତି କି, ସେ ଜଣେ ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ବିକ୍ରିକରୁଥିବା କମ୍ପାନୀରେ କାମ କରୁଥିଲେ । କିନ୍ତୁ ଗୋଟିଏ ଘଣ୍ଟା ପରେ ତା ସହ ୯୮ କର୍ମଚାରୀଙ୍କୁ କମ୍ପାନୀର ସିଇଓ ବାହାର କରିଦେଇଥିଲେ । ସେମାନଙ୍କୁ ମିଳିଥିବା ନୋଟିସରେ ସିଇଓ ସେମାନଙ୍କୁ ଅନେକ ଗାଳି କରିଛନ୍ତି । ଏଥିସହ କାରଣରେ ସିଇଓ ଉଲ୍ଲେଖ କରିଛନ୍ତି କି, ଯେଉଁମାନେ ଆଜି ସକାଳ ମିଟିରେ ନ ଥିଲେ, ସେମାନଙ୍କ ପାଇଁ ଅଧିକାରିକ ନୋଟିସ । ଆପଣମାନଙ୍କୁ ଚାକିରିରୁ ବାହାର କରି ଦିଆଗଲା ।
ଏହା ବ୍ୟତୀତ କମ୍ପାନୀ ତରଫରୁ ସିଇଓ ସେମାନଙ୍କ ସହ ହୋଇଥିବା ଚୁକ୍ତିକୁ ରଦ୍ଦ କରିବା ସହ ସେମାନେ କମ୍ପାନୀରୁ ପାଇଥିବା ସୁବିଧା, ସୁଯୋଗ ଫେରାଇବାକୁ କହିଛନ୍ତି । ସେମାନଙ୍କୁ ତୁରନ୍ତ ହିଁ କମ୍ପାନୀ ଆକାଉଣ୍ଟରୁ ସାଇନ ଆଉଟ କରିବା ସହ କମ୍ପାନୀରୁ ବାହାରି ଯିବାକୁ ରୋକଠୋକ ଶୁଣାଇ ଦେଇଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ ପ୍ରତିକ୍ରିୟା ପ୍ରକାଶ ପାଇଛି । ପୋଷ୍ଟ ଭାଇରାଲ ହେବା ପରେ ୧୯ହଜାରରୁ ଅଧିକ ଅପଭୋଟ୍ସ ଏହି ପୋଷ୍ଟକୁ ମିଳିଛି । ପ୍ରାୟ ୨୦୦୦ରୁ ଅଧିକ କମେଣ୍ଟ ମିଳିଛି । କମେଣ୍ଟରେ କର୍ମଚାରୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରାଯାଇଛି ।