ମୁମ୍ବାଇ: ମୁଦ୍ରାନୀତି କମିଟି ବୈଠକରେ ଓମିକ୍ରନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଥିଲେ । ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦାରେ ଯେଉଁ ସୁଧାର ହେଉଛି ତାହାକୁ ଓମିକ୍ରନ ଲହର ପଥଚ୍ୟୁତ କରିବା ଆଶଙ୍କା ରହିଛି ବୋଲି ସେ କହିଥିଲେ । ମୁଦ୍ରାନୀତି କମିଟିରେ ହୋଇଥିବା ଆଲୋଚନା ବିଷୟରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ଡିସେମ୍ବର ୬ରୁ ୮ ପର୍ଯ୍ୟନ୍ତ ମୁଦ୍ରାନୀତି କମିଟିର ବୈଠକ ହୋଇଥିଲା । ସେଥିରେ ଶକ୍ତିକାନ୍ତ କହିଥିଲେ ଯେ ପୁରୁଣା ସମସ୍ୟାଗୁଡ଼ିକ ବର୍ଷ ଶେଷ ଆଡ଼କୁ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଯାହା ଲାଗୁଛି ତାହା ୨୦୨୨ରେ ମଧ୍ୟ ଜାରି ରହିବ । ଅର୍ଥନୀତିରେ ସୁଧାର ହେଉଥିଲେ ମଧ୍ୟ ଘରୋଇ କ୍ଷେତ୍ର ଦ୍ୱାରା କରାଯାଉଥିବା ପୁଞ୍ଜିନିବେଶ ଏପର୍ଯ୍ୟନ୍ତ ମହାମାରୀର ପୂର୍ବ ସ୍ଥିତିକୁ ଫେରିନାହିଁ ।
୨୦୨୧ର ପ୍ରଥମ ଭାଗରେ ବିଶ୍ୱ ବାଣିଜ୍ୟରେ ଜବରଦସ୍ତ ସୁଧାର ହୋଇଥିଲା । ନଭେମ୍ବରରେ ହୋଇଥିବା ବଡ଼ ବର୍ଷାକୁ ନେଇ ଶକ୍ତିକାନ୍ତ ଚିନ୍ତା ପ୍ରକଟ କରିଥିଲେ । ଏହାର ପ୍ରଭାବରେ ପନିରିବା ମହଙ୍ଗା ହେବାର ଆଶଙ୍କା ରହିଛି ବୋଲି କହିଥିଲେ । ଏହା ହେଲେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପଡ଼ିବ ବୋଲି ସେ ଜାଣିାରିଥିଲେ । ଦରଦାମ ସ୍ଥିତି ଉପରେ ଓମିକ୍ରନର ପ୍ରଭାବ ଦୁଇ ଗୁଣା ରହିବ ବୋଲି ସେ ଆକଳନ କରିଥିଲେ । ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ୍ ଦେବବ୍ରତ ପାତ୍ର ମଧ୍ୟ ଓମିକ୍ରନ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହାର ପ୍ରଭାବରେ ୨୦୨୨ର ଦ୍ୱିତୀୟ ଭାଗ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିବ ବୋଲି ସେ ଆକଳନ କରିଥିଲେ ।