fbpx

ପୁରୀରେ ମାତାଲ ଯୁବତୀଙ୍କ ଉନ୍ମତ୍ତକାଣ୍ଡ; ପୋଲିସ ଭ୍ୟାନରେ ଚଢ଼ି କହିଲେ ଅଶ୍ଲୀଳ ଭାଷା, ଦେଖନ୍ତୁ ଭିଡ଼ିଓ

ପୁରୀ(ଓଡ଼ିଶା ଭାସ୍କର): ମଦ ପିଇ ଲୋକମାନେ ଯେଭଳି କାଣ୍ଡ କରନ୍ତି, ତାହା ଆପଣମାନେ ତ ଅଳ୍ପ ବହୁତେ ଜାଣିଥିବେ । ଏନେଇ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ପ୍ରତିଦିନ ଭାଇରାଲ ହେଉଛି । କିନ୍ତୁ ପୁରୀରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ଯୁବତୀ ମଦ ପିଇବା ପରେ ନିଜର ହିତାହିତ ଜ୍ଞାନ ଭୁଲିଯାଇ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ଖବର ମୁତାବକ, ପୁରୀ ବଡ଼ଦାଣ୍ଡର ବଡ଼ଶଙ୍ଖଠାରେ ଜଣେ ମାତାଲ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ଗାଡ଼ି ଚଳାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇଥିଲେ । ଧକ୍କା ପରେ ପଥଚାରୀଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ମଦ୍ୟପ ଯୁବତୀ । ନିଶାରେ ଚୁର୍ ଯୁବତୀ ଜଣକ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ପର୍ଯ୍ୟନ୍ତ ରାସ୍ତାରେ ଚାଲି ଚାଲି ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ । ରାସ୍ତାରେ ଯାହାକୁ ଦେଖିଲେ, ତାକୁ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ । ଯୁବତୀଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ଘଟଣା ମଙ୍ଗଳବାର ରାତି ୯ଟା ସମୟରେ ଘଟିଥିବା ସୂଚନା ମିଳିଛି ।

ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଥିଲେ । କ’ଣ ପାଇଁ ଯୁବତୀ ଏମିତି ଗାଳିଗୁଲଜ କରୁଛନ୍ତି ବୋଲି ପ୍ରଥମେ କିଛି ଲୋକ ପଚାରିଥିଲେ । କିନ୍ତୁ ଯୁବତୀ ଜଣକ ମଦ ନିଶାରେ ସେମାନଙ୍କୁ ବି ଅଶ୍ଲୀଳ ଭାଷାରେ ଗାଳି କରିଥିଲେ । ଘଟଣାକୁ ନେଇ ଲୋକମାନେ ପିସିଆରକୁ ଫୋନ୍ କରିବା ପରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଉଦ୍ଧାର କରାଯାଇଥିଲା । ପିସିଆର ଗାଡ଼ି ଉପରକୁ ଚଢ଼ି ମଧ୍ୟ ଯୁବତୀ ଜଣକ ଅସଭ୍ୟ ଭାଷାରେ ଗାଳି କରିଥିଲେ । ଘଟଣାକୁ ନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.