ରାଜଧାନୀରେ ୬୦ ପ୍ରତିଶତ ଓମିକ୍ରନ ସଂକ୍ରମିତଙ୍କ ନାହିଁ ଟ୍ରାଭେଲ୍ ହିଷ୍ଟ୍ରି; ଅଧ୍ୟୟନରୁ ହେଲଶ ଖୁଲାସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୃତ୍ୟୁହାର କମ୍ ଥିବା ବେଳେ ସଂକ୍ରମଣ ହାର ଅଧିକ ରହିଛି । ତେବେ ନୂତନ ଭାରିଆଣ୍ଟ୍ ଓମିକ୍ରନ ମାମଲା ମଧ୍ୟ ଏଠାରେବ ବଢ଼ିଚାଲିଛି । ବର୍ତ୍ତମାନ ଏକ ଷ୍ଟଡିରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏଠାରେ ୬୦ ପ୍ରତିଶତ ଓମିକ୍ରନ ସଂକ୍ରମିତଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଏମାନେ କୌଣସି ବିଦେଶୀ ଯାତ୍ରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିନାହାନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଦ୍ରୁତ ଗତିରେ ହୋଇଛି ।ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଲିଭର୍ ଓ ପିତ୍ତ ବିଜ୍ଞାନ ସଂସ୍ଥା ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏହି କଥା ସାମନାକୁ ଆସିଛି ।

ସମ୍ଭବତଃ ଏହା ଭାରତରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣର ଏହାହେଉଛି ପ୍ରଥମ ଅଧ୍ୟୟନ । ଏହାର କ୍ଲିନିକାଲ୍ ପ୍ରମାଣ ମଧ୍ୟ ରହିଛି । ଏତେ ସଂଖ୍ୟକ ଲୋକ କେବଳ ଗୋଷ୍ଠୀ ସଂକ୍ରମଣ କାରଣରୁ ଆକ୍ରାନ୍ତ ହୋଇଛନ୍ତି । ଷ୍ଟଡି ଅନୁସାରେ, ୩୯.୧ ପ୍ରତିଶତ ଲୋକଙ୍କର ଯାତ୍ରୀ ସମ୍ପର୍କରେ ତଥ୍ୟ ରହିଛି । ହେଲେ ବାକି ୬୦.୯ ପ୍ରତିଶତଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ ।

ସୁଚନା ଅନୁସାରେ, ବିନା ଲକ୍ଷଣଜନିତ ରୋଗୀ ରାଜଧାନୀରେ ଅଧିକ ରହିଛନ୍ତି । ତେଣୁ ବିନା ଲକ୍ଷଣମାନଙ୍କ ଦ୍ୱାରା ସଂକ୍ରମଣ ପ୍ରସାର ହେଉଛି । ଏହି କାରଣରୁ ଏହା ଅଧିକ ସଂକ୍ରାମକ ସାବ୍ୟସ୍ତ ହୋଇଛି । ଅନ୍ୟପଟେ ଟିକାର ପ୍ରଭାବ ଏହି ଭାରିଆଣ୍ଟ ଉପରେ ପଡ଼ୁଥିବା ପରିଲକ୍ଷିତ ହେଉନାହିଁ । କାରଣ ଦୁଇଟି ଡୋଜ୍ ଟିକା ଏବଂ ବୁଷ୍ଟର୍ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହା ସଂକ୍ରମିତ କରିବାର କ୍ଷମତା ରଖୁଛି ।