fbpx

ଟିକା ନ ନେଲେ ଖେଳି ପାରିବନି ଫ୍ରେଞ୍ଚ ଓପନ: ଜୋକୋଭିଚଙ୍କୁ ଲାଗିଲା ଆଉ ଏକ ଝଟକା

ନୂଆଦିଲ୍ଲୀ:ଭିସା ବିବାଦ କାରଣରୁ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନରୁ ବହିଷ୍କୃତ ହେବା ପରେ ନୋଭାକ ଜୋକୋଭିକ୍ଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି। ଏବେ ତାଙ୍କ ଉପରେ ଆଉ ଏକ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ଖେଳିବା ଉପରେ ମଧ୍ୟ ରୋକ୍ ଲଗାଯାଇପାରେ। କାରଣ ଫ୍ରାନ୍ସରେ ଭ୍ୟାକ୍ସିନକୁ ନେଇ ନୂତନ ଆଇନ ଲାଗୁ କରାଯାଇଛି। ଏହା ଅନୁଯାୟୀ, କରୋନା ଟିକା ନେଇଥିବା ଲୋକଙ୍କୁ ହିଁ ସାର୍ବଜନୀନ ସ୍ଥାନ ଯିବାକୁ ଅନୁମତି ରହିଛି। ଏମିତିରେ ଏ ପର୍ଯ୍ୟନ୍ତ କରୋନା ଟିକା ନେଇନଥିବା ଜୋକୋଭିକ୍ ଆଉ ଏକ ଗ୍ରାଣ୍ଡସ୍ଲାମରୁ ବାହାରି ପାରନ୍ତି।

ଫ୍ରାନ୍ସର କ୍ରୀଡା ମନ୍ତ୍ରଣାଳୟ ସୋମବାର କହିଛନ୍ତି ଯେ, ଭ୍ୟାକସିନର ଏହି ଆଇନରେ କାହାରିକୁ କୋହଳ କରାଯାଇ ପାରିବ ନାହିଁ। ରବିବାର ଏହି ଆଇନ ଲାଗୁ ହୋଇଛି। ଏହା ଅନୁସାରେ ଭ୍ୟାକ୍ସିନ ସାର୍ଟିଫିକେଟ୍ ଥିଲେ ହିଁ ଲୋକଙ୍କୁ ହୋଟେଲ୍, ରେଷ୍ଟୁରାଣ୍ଟ, କାଫେ, ସିନେମା ଏବଂ ଟ୍ରେନରେ ବସିବାକୁ ଅନୁମତି ମିଳିବ। ମନ୍ତ୍ରଣାଳୟ କହିଛି, ଶୀଘ୍ର ଲୋକଙ୍କୁକ ଭ୍ୟାକ୍ସିନ ପାସ୍ ପଠାଇ ଦିଆଯିବ। ଏହା ହେଲ୍ଥ ପାସ୍ ପରି କାମ କରିବ।
ଫ୍ରାନ୍ସର କ୍ରୀଡା ମନ୍ତ୍ରଣାଳୟ କହିଛନ୍ତି, ରୋଲାଣ୍ଡ ଗ୍ୟାରୋସ୍ରେ ହେବାକୁ ଥିବା ଫ୍ରେଞ୍ଚ ଓପନକୁ ଏବେ ଆହୁରି ସମୟ ବାକି ରହିଛି। ଏହି ଗ୍ରାଣ୍ଡସ୍ଲାମ ମେ ମାସରେ ହେବାକୁ ଯାଉଛି। ହୋଇପାରେ ସ୍ଥିତିରେ ସୁଧାର ଆସିବ ଏବଂ ଏହି ଆଇନ ସେହି ସମୟରେ ନଥିବ। ମାତ୍ର ବର୍ତ୍ତମାନ ଏହି ନିୟମରେ କୌଣସି କୋହଳ ଦିଆଯିବ ନାହିଁ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଅପ୍ରବାସ ମନ୍ତ୍ରୀ ଆଲେକ୍ସ ହକ୍ ନିଜ ସ୍ଵତନ୍ତ୍ର ଶକ୍ତି ପ୍ରୟୋଗ କରି ବିଶ୍ଵର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ଙ୍କ ଭିସା ଦ୍ଵିତୀୟ ଥର ବାତିଲ୍ କରିଛନ୍ତି। ଫଳରେ ଜୋକୋଭିକ୍ଙ୍କ ଅଷ୍ଟ୍ରେଲିଆ ଓପନ ଖେଳି ୨୧ତମ ଗ୍ରାଣ୍ଡସ୍ଲାମ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ଏହା ପୂର୍ବରୁ କୋର୍ଟରୁ ତାଙ୍କୁ ଆଶ୍ଵସ୍ତି ମିଳିଥିଲା ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ଭିସା ବାତିଲ୍ ଆଦେଶକୁ କୋର୍ଟ ରଦ୍ଦ କରିଥିଲେ। ହେଲେ ସରକାର ଦ୍ଵିତୀୟ ଥର ଭିସା ବାତିଲ୍ କରିଥିଲେ ଏବଂ ଏଥର କୋର୍ଟଙ୍କ ରାୟ ଜୋକୋଭିକ୍ଙ୍କ ବିପକ୍ଷରେ ରହିଥିଲା।

Get real time updates directly on you device, subscribe now.