fbpx

ପାଇପ୍‌ ବୋଝେଇ ଟ୍ରଲର ପଛପଟେ ପିଟିଲା ବସ୍‌, ୬ ଯାତ୍ରୀଙ୍କ ସମେତ ଟ୍ରଲର ଚାଳକ ଗୁରୁତର

ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ୍‌) : ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ବଇଁଚୁଆ ନିକଟରେ ପାଇପ୍‌ବୋଝେଇ ଟ୍ରଲର ପଛପଟେ ଏକ ଯାତ୍ରୀବାହୀ ବସ୍‌ ପିଟିହେବା ଫଳରେ ବସ୍‌ରେ ଥିବା ୬ଜଣ ଯାତ୍ରୀଙ୍କ ସମେତ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନାଥାଉକି,  କଟକରୁ ଯାଜପୁରର ମଙ୍ଗଳପୁରକୁ ଯାଉଥିବା ମାତୃକରୁଣା ନାମକ ଏକ ଯାତ୍ରୀବାହୀ ବସ୍‌(ଓଡ଼ି୦୫ୱାଇ୮୧୪୫ )ଅତ୍ୟନ୍ତ ଦ୍ରୁତଗତିରେ ଆସି ବଇଁଚୁଆ ନିକଟରେ ଯାଉଥିବା ଏକ ପାଇପ୍‌ ବୋଝେଇ ଟ୍ରଲର (ଓଡ଼ି୨୬୦୧୦୫)କୁ ପଛପଟୁ ଧକ୍କା ଦେବା ଫଳରେ ଟ୍ରଲରରେ ଥିବା ବଡ଼ ବଡ଼ ଲୁହା ପାଇପ୍‌ ଗୁଡ଼ିକ ଟ୍ରଲରର ସାମ୍ନାପଟେ ଥିବା କେବିନ୍‌କୁ ଭାଙ୍ଗି ଜାତୀୟ ରାଜପଥ ଉପରେ ପଡ଼ିଯାଇଥିଲା । ଫଳରେ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହେବା ସହ କିଛି ସମୟ ପାଇଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ୍‌ ପହଂଚି ଆହତ ବସ୍‌ ଯାତ୍ରୀ ଓ ଗୁରୁତର ଆହତ ହୋଇଥିବା ଟ୍ରଲର ଡ୍ରାଇଭରଙ୍କୁ ଉଦ୍ଧାର କରି କଟକ ବଡ଼ମେଡ଼ିକାଲ ଚିକିତ୍ସା ନିମନ୍ତେ ପଠାଇବା ସହ କ୍ରେନ୍‌ ଯୋଗେ ପାଇପ୍‌ ଗୁଡ଼ିକୁ ରାସ୍ତା ଉପରୁ ଉଠାଇ ଯାନବାହନ ଚଳାଚଳ ସ୍ୱାଭାବିକ କରିଥିଲେ । ଏହାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଦୁଇଟିକୁ ଉଦ୍ଧାର କରି ଥାନାକୁ ନେବା ସହ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଦୁର୍ଭାଗ୍ୟବଶତଃ ଛିଟିକି ପଡ଼ିଥିବା ପାଇପ୍‌ ଗୁଡ଼ିକ ରାସ୍ତାରେ ଗଡୁଥିବା ସମୟରେ କୌଣସି ଗାଡ଼ି ଉକ୍ତ ରାସ୍ତା ଦେଇ ଯାଇନଥିବା ଫଳରେ ଏକ ସିରିଜ୍‌ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବାର ଦେଖିବାକୁ ମିଳିଥିଲା । ସରକାରଙ୍କ ତରଫରୁ ଦ୍ରୁତ ଗତିରେ ଯାଉଥିବା ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଛକରେ ସିିସିଟିଭି କ୍ୟାମେରା ସମେତ ପୁଲିସ୍‌କୁ ନିୟୋଜିତ କରାଯାଇଥିଲେ ମଧ୍ୟ ୧୬ନଂ. ଜାତୀୟ ରାଜପଥ ଦେଇ ବିଭିନ୍ନ ସମୟରେ ଏହି ଘରୋଇବସ୍‌ଗୁଡ଼ିକ ଯାତ୍ରୀ ଲୋଭରେ ଦ୍ରୁତ ଗତିରେ ଯିବା ଫଳରେ ଏହିଭଳି ଦୁର୍ଘଟଣାମାନ ଦେଖିବାକୁ ମିଳିଥାଏ । ପ୍ରଶାସନ ଏହା ଉପରେ ନଜର ଦେଇ ତ୍ରୁତ ଗତିରେ ଯାଉଥିବା ଏହି ଗାଡ଼ିଗୁଡ଼ିକୁ ଫାଇନ୍‌ କାଟିବା ସହ ଲାଇସେନ୍ସ ରଦ୍ଦ କରାଗଲେ ଏହିଭଳି ଦୁର୍ଘଟଣମାନ କମିବ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.