ନୂଆଦିଲ୍ଳୀ: ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ସମୟରେ ଗୁଳିଚାଳନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏଆଇଏମଆଇଏମ୍ ପ୍ରତିଷ୍ଠାତା ତଥା ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓୱେସୀ । ଫେବୃୟାରୀ ୩ ତାରିଖରେ ଦିଲ୍ଳୀ-ମିରଟ ହାଇୱେରେ ଓୱେସୀଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ତାଙ୍କ ଉପରକୁ ଆକ୍ରମଣ କରିଥିବା ଲୋକମାନେ ହିଁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ବୋଲି କହିଛନ୍ତି ଓୱେମସୀ । ଛପରୌଲୀରେ ଏକ ରାଲିରେ ଯୋଗ ଦେବା ଅବସରରେ ଓୱେସୀ ଏଭଳି ମତ ରଖିଛନ୍ତି ।
ଆକ୍ରମଣକାରୀ ମାନେ ବିଜେପି ସହିତ ସମ୍ପୃକ୍ତ ବୋଲି ଓୱେସୀ ପୂର୍ବରୁ ଅଭିଯୋଗ କରିଥିଲେ । ନାଥୁରାମ ଗୋଡସେଙ୍କ ସହିତ ଓୱେସୀ ଏହି ଗୁଳି ଚାଳନାକାରୀଙ୍କୁ ତୁଳନା କରିଥିଲେ । ମୋ ଉପରକୁ ୪ ରାଉଣ୍ଡ ଗୁଳି ଚଳା ଯାଇଥିଲା । ଯେ ପର୍ଯ୍ୟନ୍ତ ଆଲ୍ଲା ନ ଚାହିଁବେ କେହିବି ମୋତେ ମାରି ପାରିବେ ନାହିଁ । ଆଲ୍ଲାଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି କହିଛନ୍ତି ଓୱେସୀ । ସେହିପରି ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଓୱେସୀ । ଇମ୍ରାନ ମାସୁଦଙ୍କୁ ଟିକେଟ ନ ଦେବା କାରଣରୁ ଓୱେସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଶନିବାର ଲୋନି, ଛପରୌଲୀ ଏବଂ ଗ୍ରହୁମେକ୍ତେଶ୍ୱରରେ ଓୱେସୀଙ୍କ ରାଲି ରହିଥିଲା । ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହେଲିକପ୍ଟର ଅବତରଣ ଅନୁମତି ନ ମିଳିବାରୁ କେବଳ ଛପରୌଲୀରେ ରାଲିକୁ ସମ୍ବୋଧିତ କରିଥିଲେ ଓୱେସୀ ।