fbpx

ବ୍ରହ୍ମପୁରର IISER ପ୍ରସ୍ତୁତ କରୁଛି କୋଭିଡ୍ ଭ୍ୟାକ୍ସିନ, କରୋନାର ସମସ୍ତ ଭାରିଆଣ୍ଟକୁ ଦେବ ମାତ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି କରୋନା ଟିକା । କୋଭିଡ୍ ବିରୋଧରେ ଏହି ଟିକା ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇପାରେ ବୋଲି ଦାବି କରାଯାଉଛି । ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା (ଆଇଜର) ଦ୍ୱାରା ନୂଆ ଡିଜାଇନରେ ପ୍ରସ୍ତୁତ ହେଉଛି ‘ଆଭିସ କୋଭାକ’ । ତେବେ ଏହି ଟିକା କରୋନା ଭୁତାଣୁର ସମସ୍ତ ଭାରିଆଣ୍ଟକୁ ମାତ୍ ଦେବାରେ ସକ୍ଷମ ବୋଲି ବିବେଚନା କରାଯାଉଛି ।

ଜଣାପଡ଼ିଛି ଯେ, ବ୍ରହ୍ମପୁର ଆଇଜର ଓ ପଶ୍ଚିମବଙ୍ଗର ଆସାନସୋଲର କାଜି ନଜ୍ରୁଲ ବିଶ୍ୱବିଦ୍ୟାଳୟର ୫ ଜଣ ଗବେଷକ ଏକତ୍ର ଗବେଷଣା ଚଳାଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଅଭିଜ୍ଞାନ ଚୌଧୁରୀ, ପାର୍ଥସାରଥୀ ସେନଗୁପ୍ତା, ସରୋଜ କୁମାର ପଣ୍ଡା, ମଳୟ କୁମାର ରଣା ଓ ସୁପ୍ରଭାତ ମୁଖାର୍ଜା । ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ୬ଟି ଭାରିଆଣ୍ଟକୁ ନେଇ ଗବେଷଣା ସରିଛି । ତେବେ ଏହି ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଏହି ଦୁଇ ଶିକ୍ଷାନୁଷ୍ଠାନ ପୁଞ୍ଜି ଯୋଗାଡ଼ ପ୍ରୟାସରେ ରହିଥିବା ବେଳେ ଏହି ଟିକା ନେବା ପରେ ସଂକ୍ରମଣ ଆଶଙ୍କା ହ୍ରାସ ପାଇବ ବୋଲି ଗବେଷକମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.