fbpx

ବିଧବା ବୋହୂର ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇ ବଧୂ ବେଶରେ ସଜାଇଲେ ଶାଶୂ, ଧୁମ୍ ଧାମ୍‌ରେ କରାଇଲେ ବାହାଘର

ବ୍ରେନ୍‌ ଷ୍ଟ୍ରୋକ୍‌ରେ ହୋଇଥିଲା ସ୍ୱାମୀଙ୍କ ମୃତ୍ୟୁ

ରାଜସ୍ଥାନ: ୨୭ ବର୍ଷର  ସୁନିତା । ହାତରେ ମେହେନ୍ଦି, ପାଦରେ ଅଳତା, ମଥାରେ ସିନ୍ଦୁର ଓ ମୁଣ୍ଡରେ ବାହା ମୁକୁଟ ପିନ୍ଧି ଯେଉଁ ଘରକୁ ବୋହୂ ହୋଇ ଆସିଥିଲା, ଆଜି ସେଇ ଘରୁ ପୁଣିଥରେ ଆଉ ଏକ ଘରକୁ ବୋହୂ ହୋଇଯାଉଛି । କାହିଁକି ନା ପରିସ୍ଥିତି ଥିଲା କିଛି ସେମିତି । ୬ବର୍ଷ ଶାଶୂଘରେ ରହିବା ପରେ ଏବେ ଶାଶୂଘରୁ ବିଦା ହୋଇଛି ବୋହୂ । ଆଉ ବୋହୂକୁ ଖୁସି ଖୁସି ବିଦାୟ ଦେଇଛନ୍ତି ଶାଶୂ-ଶ୍ୱଶୁର ।

ରାଜସ୍ଥାନ ରାଜ୍ୟ ଶିକର ଜିଲ୍ଲାର ଟାଣ୍ଟଣ ଗାଁକୁ ସୁନିତା ୨୦୧୬ରେ ବୋହୂ ହୋଇ ଆସିଥିଲା । ବିବାହର କିଛି ମାସ ପରେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଚାଲିଗଲେ ସୁନିତାଙ୍କ ସ୍ୱାମୀ । ତାଙ୍କ ସ୍ୱାମୀ ଏମବିବିଏସ୍‌ ପଢ଼ି ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ । ସେଥିପାଇଁ ସେ ବିଦେଶର ଏକ ବିଶ୍ୱବିଦ୍ୟାଳୟକୁ ପଢ଼ିବାକୁ ଯାଇଥିଲେ, ସେଠାରେ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା । ଏୟାର ଆମ୍ବୁଲାନ୍ସ ପାଇଁ ଭାରତ ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ବି ସୁଫଳ ମିଳିନଥିଲା ବରଂ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସେତେବେଳେ ସୁନିତାକୁ ୨୧ ବର୍ଷ ହୋଇଥିଲା । ସୁନିତାର ପ୍ରତିଟି ଇଚ୍ଛାକୁ ପୂରା କରୂଥିଲେ ଶାଶୂଘର ଲୋକେ । ତାର ଇଚ୍ଛା ମୁତାବକ ତାକୁ ପାଠ ପଢ଼ିବାକୁ ବି ଅନୁମତି ଦେଲେ । ଶାଶୂଘର ପରିବାରର ସମ୍ପୂର୍ଣ୍ଣ ସହମତି ଓ ସହଯୋଗ ବଳରେ ସୁନିତା ପାଞ୍ଚବର୍ଷର ପାଠପଢ଼ା ପୂରାକରିବାରେ ସଫଳ ହେଲା ଏବଂ ଚୁରୁ ଜିଲ୍ଲାରେ ଜଣେ ସରକାରୀ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଲେ ଏବଂ ତାଙ୍କ ବିବାହ ଜଣେ ଉତ୍ତମ ବରପାତ୍ର ଖୋଜି କରାଇଦିଆଗଲା ।

ଏ ଘଟଣାକୁ ନେଇ ସୁନିତାଙ୍କ ଶାଶୂ କହିଛନ୍ତି ଯେ, ସେ ମୋ ଝିଅ, ମୋ ପୁଅ ଚାଲିଗଲା ସତ କିନ୍ତୁ ମୋ ଝିଅର ଜୀବନ କାହିଁକି ନଷ୍ଟ ହେବ ବରଂ ସେ ନୂଆ ଜୀବନସାଥିଟିଏ ପାଇ ଖୁସିରେ ରହୁ । ସୁନିତା କହିଛନ୍ତି, ସେ ଏଭଳି ଶାଶୂ-ଶ୍ୱଶୁର ପାଇ ଭାଗ୍ୟବାନ ମନେକରୁଛି । ଶାଶୂ-ଶ୍ୱଶୁରଙ୍କ ବିନା ମୁଁ ପାଠପଢ଼ା କି ଏ ଚାକିରି କରିବାରେ ସଫଳ ହୋଇପାରିନଥାନ୍ତି । ଏଭଳି ଏକ ନିଷ୍ପତ୍ତିକୁ ମୁଁ ସ୍ୱୀକାର କରୁଛି ଏବଂ ମୁଁ ଗୋଟିଏ ଭାଗ୍ୟବାନ ବୋହୂ ବୋଲି ମନେ କରୁଛି ଯେ, ମୁଁ ଏଭଳି ଶାଶୂ ଶ୍ୱଶୁର ପାଇଛି ।

Get real time updates directly on you device, subscribe now.