fbpx

ଏୟାର ଇଣ୍ଡିଆର ବଡ ନିଷ୍ପତ୍ତି, ୟୁକ୍ରେନରୁ ଭାରତ ଉଡିବ ୩ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରେ ବିଗୁଡୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଶୁକ୍ରବାର ଭାରତ ଏବଂ ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଉଡାଇବାକୁ ଘୋଷଣା କରିଛି। ପ୍ରଥମ ବିମାନ ଫେବୃଆରୀ ୨୨ରେ ଉଡାଣ ଭରୁଥିବା ବେଳେ ଦ୍ଵିତୀୟ ବିମାନ ଫେବୃଆରୀ ୨୪ ଏବଂ ତୃତୀୟ ଉଡାଣ ଫେବୃଆରୀ ୨୬ରେ ଭରିବ। ଏହି ବିମାନ ୟୁକ୍ରେନର ବୋରିସ୍ପିଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡାଣ ଭରିବ। ଟିକେଟ୍ ବୁକିଂ ଏୟାର ଇଣ୍ଡିଆର ବୁକିଂ ଅଫିସ, କଲ୍ ସେଣ୍ଟର ଏବଂ ଅଧିକୃତ ଟ୍ରାଭେଲ୍ ଏଜେଣ୍ଟଙ୍କ ଜରିଆରେ କରାଯାଇ ପାରିବ।

ଭାରତ ସରକାର ଗୁରୁବାର ଭାରତୀୟ ବିମାନ କମ୍ପାନୀକୁ ୟୁକ୍ରେନରୁ ଭାରତ ପାଇଁ ଚାଟାର୍ଡ ବିମାନ ସଞ୍ଚାଳନ କରିବାକୁ କହିଥିଲେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏହି ସୂଚନା ଦେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ ନିଷ୍ପତ୍ତି ନେଇ ବାୟୋ ବବଲ ଆଧାରରେ ଦୁଇ ଦେଶ ମଧ୍ୟରେ ଉଡାଣ ସମ୍ବନ୍ଧିତ କଟକଣା ହଟାଇଛନ୍ତି। ଯଦ୍ଵାରା ୟୁକ୍ରେନରେ ଫସି ରହିଥିବା ଭାରତୀୟ ସ୍ଵଦେଶ ଫେରି ପାରିବେ।

ୟୁକ୍ରେନରୁ ଭାରତୀୟ ନାଗରିକ ବିଶେଷ କରି ଛାତ୍ର-ଛାତ୍ରୀଙ୍କୁ ସୁରକ୍ଷିତ ସ୍ଵଦେଶ ଫେରାଇ ଆଣିବା ଭାରତ ସରକାରଙ୍କ ପ୍ରଥମ ପ୍ରାଥମିକତା ରହିଛି। ତେବେ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି ଯେ, ସେଠାରୁ ଭାରତୀୟ ନାଗରିକଙ୍କୁ କାଢିବା ପାଇଁ ସ୍ଵତନ୍ତ୍ର ବିମାନ ଉଡାଣ ବ୍ୟବସ୍ଥା କରାଯାଉ ନାହିଁ। କେବଳ ଅସ୍ଥାୟୀ ଭାବେ ସ୍ଵଦେଶ ଫେରିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.