fbpx

ବିଶ୍ୱର ଦୁଇ ମହାଶକ୍ତିଙ୍କ ମଧ୍ୟରେ ହେବ ଟକ୍କର: ଭାରତ ପାଇଁ ଏହି ଯୁଦ୍ଧ ହେବ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ରୁଷ ଉପରେ ରହିଛି । ୟୁକ୍ରେନକୁ ରୁଷ ଘେରିବା ସହ ସୀମାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରି ସମରାଭ୍ୟାସ ଜାରି ରଖିଛି । ତେବେ ଏଭଳି ସ୍ଥିତିରେ ରୁଷ୍ ଯଦି ଆକ୍ରମଣ କରେ, ତେବେ ଆମେରିକା ୟୁକ୍ରେନକୁ ଖୋଲାଖୋଲି ସମର୍ଥନ ଦେବ ବୋଲି ସିନେଟରେ ପ୍ରସ୍ତାବ ପାରିତ କରିସାରିଲାଣି । ଅନ୍ୟପକ୍ଷରେ ରୁଷ୍ କହିଛି ଯେ, ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ (ନାଟୋ) ସମ୍ମୁଖରେ ଆମର ଶକ୍ତି କମ୍ ହୋଇପାରେ, ମାତ୍ର ଯୁଦ୍ଧାର ବିଜେତା କେହି ହେବେ ନାହିଁ ।

ତେବେ ଯଦି ସତରେ ଯୁଦ୍ଧ ହୁଏ, ତେବେ ସମଗ୍ର ବିଶ୍ୱ ଦୁଇଭାଗରେ ବିଭକ୍ତ ହେବା ଅବଶ୍ୟମ୍ଭାବୀ । ଏହା ଭାରତ ପାଇଁ ନିଶ୍ଚିତ ଭାବେ ଅଗ୍ନିପରୀକ୍ଷା ସଦୃଶ ହେବ । କାହାର ପକ୍ଷ ନେବ ଭାରତ ରୁଷ୍ ନା ଆମେରିକା? ବିଗତ କିଛି ବର୍ଷ ଧରି ଭାରତ ଆମେରିକାର ଏକ ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରର ମାନ୍ୟତା ଲାଭ କରିଛି । ଅନ୍ୟପଟେ ରୁଷ୍ ମଧ୍ୟ ଭାରତର ବହୁ ପୁରୁଣା ବନ୍ଧୁ, ତା’ଠାରୁ ଭାରତ ଅନେକ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର କିଣିଥାଏ । ପ୍ରତିରକ୍ଷା ଏକ୍ସପର୍ଟଙ୍କ ମତରେ, ପୂର୍ବ ଲଦ୍ଦାଖରେ ଚୀନ-ଭାରତ ମୁହାଁମୁହିଁ ଅବସ୍ଥାରେ ରହିଥିବାରୁ ରୁଷକୁ ନିରାଶ କରିବାକୁ ଭାରତ ଚାହିଁବନି । ସେହିପରି ଚୀନ ସହ ଭାରତର ଶତ୍ରୁତା ଜାରି ରହିଥିବା ସମୟରୁ ଆମେରିକା ଭାରତ ସହ ରହିଆସିଛି । ଭାରତ-ଚୀନ ସୀମା ଉପରେ ନଜର ରଖିବା ପାଇଁ ଭାରତୀୟ ସେନା ଆମେରିକୀୟ ପେଟ୍ରୋଲ ଏୟାରକ୍ରାଫ୍ଟର ସହାୟତା ନେଉଛି । ତେଣୁ ଭାରତ ସମ୍ମୁଖରେ ଏହି ଯୁଦ୍ଧ ଏକ ମହାସଙ୍କଟ ଭାବେ ଉଭା ହେବ ।

ଦିନକୁ ଦିନ ବିଶ୍ୱ ଦରବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇମେଜ୍ ବଢ଼ୁଥିବା ବେଳେ ଭାରତର ଶକ୍ତି ମଧ୍ୟ ବଢ଼ିବାରେ ଲାଗିଛି । ଏକ ସର୍ଭେ ରିପୋର୍ଟ ମୁତାବକ, ମୋଦିଙ୍କୁ ୭୫ ପ୍ରତିଶତ ରେଟିଂ ମିଳିବା ସହ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଉଭୟ ରୁଷ୍ ଓ ଆମେରିକା ଭାରତକୁ ନିଜ ପକ୍ଷକୁ ଟାଣିବାକୁ ଚାହୁଁଛନ୍ତି । ମାତ୍ର ଭାରତ ବିନ୍ଦୁ ବିନ୍ଦୁରେ ଭାବଚିନ୍ତି ନିଷ୍ପତ୍ତି ନେବା ଦରକାର । ଦେଖାଯାଉ, ଆଗକୁ କ’ଣ ଘଟୁଛି ।

Get real time updates directly on you device, subscribe now.