fbpx

ଚଳିତବର୍ଷ ଭାରତୀୟ ପାଇବେ ସବୁଠାରୁ ଅଧିକ ବେତନ, ବଢ଼ିପାରେ ୯.୯ % ଦରମା: ସର୍ଭେ

ନୂଆଦିଲ୍ଲୀ: ଦରମା ବୃଦ୍ଧି ଦୃଷ୍ଟିରୁ ଚାକିରିଆଙ୍କ ଗତ ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠାରୁ ଭଲ ହେବାକୁ ଯାଉଛି । ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କ ଦରମାରେ ୯.୯% ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଉଛି, ଯାହାକି ୨୦୧୬ରେ ୧୦.୨% ବୃଦ୍ଧି ପରେ ସର୍ବାଧିକ ହେବ ବୋଲି ଅନୁମାନ କରାଯାଉଛି । ଗତବର୍ଷ ଅର୍ଥାତ୍ ୨୦୨୧ରେ କର୍ମଚାରୀଙ୍କ ଦରମାରେ ୯.୩ % ବୃଦ୍ଧି ହୋଇଥିଲା ।

ଗ୍ଲୋବାଲ ପ୍ରୋଫେସନାଲ ସର୍ଭିସେଜ ଫର୍ମ ଏଅନ୍ ନିଜ ୨୬ତମ ବେତନ ବୃଦ୍ଧି ସର୍ଭେରେ କହିଛି ଯେ, ବ୍ରାଜିଲ, ଋଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ୫ଟି ଦେଶରେ ସମୂହ ବ୍ରିକ୍ସରେ ସବୁଠାରୁ ଅଧିକ ବେତନ ଚଳିତ ବର୍ଷ ଭାରତରେ ବଢ଼ିବାର ଆଶା ରହିଛି । ବ୍ରାଜିଲରେ ଚଳିତ ବର୍ଷ କର୍ମଚାରୀଙ୍କ ଦରମାରେ ୫%, ଋଷରେ ୬.୧% ଓ ଚୀନରେ ୬% ବଢ଼ିବାର ଅନୁମାନ କରାଯାଉଛି । ଏହି ସର୍ଭେ ୪୦ରୁ ଅଧିକ ଶିଳ୍ପରୁ ୧୫୦୦ କମ୍ପାନୀର ତଥ୍ୟ ବିଶ୍ଲେଷଣ ଉପରେ ଆଧାରିତ ହୋଇଛି ।

୨୦୧୬ ପରେ ବୃଦ୍ଧି ପାଇଥିବା ଦରମା :

୨୦୧୬ – ୧୦.୨ %
୨୦୧୭ – ୯.୩  %
୨୦୧୮ – ୯.୫  %
୨୦୧୯ – ୯.୩  %
୨୦୨୦ – ୬.୧  %
୨୦୨୧ – ୯.୩  %

ଇ-ବାଣିଜ୍ୟରେ ସବୁଠାରୁ ବଡ ଅଭିବୃଦ୍ଧି

ତେବେ ଚଳିତ ବର୍ଷ ଇ-ବାଣିଜ୍ୟ କ୍ଷେତ୍ରରେ ସର୍ବାଧିକ ବେତନ ବୃଦ୍ଧି ୧୨.୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ସେହପିରି ହାଇ-ଟେକ୍ / ସୂଚନା ପ୍ରଯୁକ୍ତିବିଦ୍ୟା ୧୧.୬ ପ୍ରତିଶତ ଏବଂ ବୃତ୍ତିଗତ ସେବା ୧୦.୯ ପ୍ରତିଶତ ବୃଦ୍ଧି ପାଇପାରେ । ଆଇଟି ସକ୍ଷମ ସେବା ୧୦.୭ ପ୍ରତିଶତ, ଧାତୁ ଏବଂ ଖଣି ଖନନ ୮.୩ ପ୍ରତିଶତ, ରେଷ୍ଟୁରାଣ୍ଟ ୮.୫ ପ୍ରତିଶତ ଏବଂ ସିମେଣ୍ଟ ୮.୬ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ସର୍ଭେ ଅନୁସାରେ, କମ୍ପାନୀଗୁଡିକର ଆର୍ଥିକ ସ୍ଥିତିରେ ମଜଭୁତ ସୁଧାର ଓ ସକରାତ୍ମକ ବ୍ୟବସାୟିକ ଭାବନା ଯୋଗୁଁ କମ୍ପାନୀଗୁଡିକ ଚଳିତ ବର୍ଷ ରେକର୍ଡ ବେତନ ବୃଦ୍ଧି କରିବାକୁ ଯାଉଛନ୍ତି । ମହାମାରୀ ସମୟରେ ଚାକିରି ହରାଇବା ହାର ତୀବ୍ର ବୃଦ୍ଧି ପାଇଛି । ତେଣୁ କମ୍ପାନୀଗୁଡିକ ସେମାନଙ୍କର ଶକ୍ତିଶାଳୀ ଏବଂ ଦକ୍ଷ କର୍ମଚାରୀଙ୍କୁ ରଖିବା ପାଇଁ ଦରମା ବୃଦ୍ଧି କରିବାର ସାହାର ନେଉଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ୨୦୨୧ ମସିହାରେ କର୍ମଚାରୀଙ୍କ ଚାକିରି ଛାଡ଼ିବାର ହାର ୨୧ ପ୍ରତିଶତ ରହିଛି, ଯାହା ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ ।୨୦୨୦ ରେ ଏହି ହାର ୧୨.୮ ପ୍ରତିଶତ ଥିଲା । ଅନ୍ ହ୍ୟୁମାନ୍ କ୍ୟାପିଟାଲ୍ ସଲ୍ୟୁସନ୍ସର ସିଇଓ ତଥା ପାର୍ଟନର ନିତିନ ସେଠୀ କହିଛନ୍ତି ଯେ, କର୍ମଚାରୀଙ୍କ ଚାକିରି ଛାଡ଼ିବା ହାରକୁ ଦୃଷ୍ଟିରେ ରଖି କମ୍ପାନୀଗୁଡ଼ିକ ଦରମା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଏଭଳି ଅଶାନ୍ତ ସମୟରେ କର୍ମଚାରୀଙ୍କ ପାଇଁ ଏହା ଏକ ଖୁସି ଖବର ଭାବେ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.