କୁମାର ବିଶ୍ୱାସଙ୍କୁ ମିଳିଲା Y ଶ୍ରେଣୀ ସୁରକ୍ଷା: ଏଣିକି ସୁରକ୍ଷା ଦାୟିତ୍ୱରେ ରହିବେ ସିଆରପିଏଫ୍ ଯବାନ

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । କବି ତଥା ଆପର ପୂର୍ବତନ ନେତା କୁମାର ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥାକୁ ୱାଇ ଶ୍ରେଣୀକୁ ବୃଦ୍ଧି କରାଯାଇଛି । କିଛି ଦିନ ପୂର୍ବରୁ ପୂର୍ବତନ ସହକର୍ମୀ ତଥା ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦେଶଦ୍ରୋହର ଅଭିଯୋଗ ଆଣିଥିଲେ । ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏହି ମାମଲାର ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା ।

ଚନ୍ନିଙ୍କ ଅନୁରୋଧ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱାସଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । କୁମାର ବିଶ୍ୱାସଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ମିଳୁଥିବା ବେଳେ ବର୍ତ୍ତମାନ ସିଆରପିଏଫ୍ ଯବାନ ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । କେଜ୍ରିୱାଲ କହିଥିଲେ ମୁଁ ପଞ୍ଜାବର ପ୍ରଧାନମନ୍ତ୍ରୀ ହେବି ନଚେତ୍ ଖଲିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । କେଜ୍ରିୱାଲଙ୍କ ଏଭଳି ମତାମତ ମୋତେ ଭୟଭୀତ କରିବା ପାଇଁ ଯଥେଷ୍ଟ ଥିଲା ବୋଲି କହିଛନ୍ତି କୁମାର ବିଶ୍ୱାସ ।