ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଲେ ପଞ୍ଜାବ ନିର୍ବାଚନ ଆୟୋଗ

ଚଣ୍ଡିଗଡ: ପଞ୍ଚାବ ନିର୍ବାଚନ ଆୟୋଗ ଅକାଳି ଦଳର ଅଭିଯୋଗ କ୍ରମେ ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି। କେଜ୍ରିଓ୍ଵାଲ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଶିରୋମଣି ଅକାଳି ଦଳ ଅଭିଯୋଗ କରିଥିଲା। କେଜ୍ରିଓ୍ଵାଲ ଅନ୍ୟ ପାର୍ଟି ବିରୋଧରେ ମିଥ୍ୟା ଏବଂ ଅପ ପ୍ରଚାର ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ଅକାଳି ଦଳ ପକ୍ଷରୁ କୁହାଯାଇଛି ଯେ, ଶନିବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଏଥିରେ ଅନ୍ୟ ପାର୍ଟି ବିରୋଧରେ ସନ୍ଦେଶ ଜାରି କରାଯାଇଛି। ଏହା ଜରିଆରେ ପଞ୍ଜାବ ଜନତାଙ୍କୁ ଭ୍ରମିତ କରାଯାଉଛି। ଆପ୍ ପକ୍ଷରୁ ହୋଇଥିବା ଏହି କାମ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି। ଅଭିଯୋଗ ଆଧାରରେ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଏସପି ଏସଏଏସ ନାଗରଙ୍କୁ କେଜ୍ରିଓ୍ଵାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି।

ଏହା ପୂର୍ବରୁ କୁମାର ବିଶ୍ଵାସଙ୍କ ଏକ ଦାବି ଆଧାରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଯାଞ୍ଚ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚନ୍ନିଙ୍କ ଏହି ଅନୁରୋଧ ଉପରେ ବିଚାର କରିବେ ବୋଲି କହିଛନ୍ତି।