ଆଜିଠୁ ପଞ୍ଚାୟତ ଭୋଟ୍ ଗଣତି : ସିଲ୍ ବାକ୍ସରୁ ଖୋଲିିବ ପ୍ରାର୍ଥୀଙ୍କ ଭାଗ୍ୟ, ପ୍ରଥମ ଦିନରେ ୩୧୫ ଜୋନ୍ରେ କାଉଣ୍ଟିଂ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶନିବାରଠାରୁ ଭୋଟଗଣତି ଆରମ୍ଭ କରାଯିବ । ଏଥିନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସବୁ ବ୍ଲକ ମୁଖ୍ୟାଳୟରେ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ । ୩୧୪ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନ୍ର ଗଣତି କରାଯିବ । କେବଳ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ୨ଟି ଜୋନ୍ର ଗଣତି ହେବ । ୩ ଦିନ ଧରି ଏହି ଗଣତି ପ୍ରକ୍ରିୟା ଚାଲୁ ରହିବ । ଅର୍ଥାତ୍ ୨୮ ତାରିଖରେ ଏହା ଶେଷ ହେବ । ବ୍ଲକ ସ୍ତରରେ ଗୋଟିଏ ଗୋଟିଏ ୱାର୍ଡର ଗଣତି ଶେଷ ହେବାପରେ ମାଇକ୍ ମାଧ୍ୟମରେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।
ପ୍ରଥମ ଦିନରେ ୩୦ଟି ଜିଲ୍ଲାର ୩୧୫ ଜୋନ୍ରେ ଗଣତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଦ୍ୱିତୀୟ ଦିନରେ ୩୦୭ ଓ ଶେଷ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନ୍ର ଗଣତି ହେବ । ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଥିବା ପଞ୍ଚାୟତର ୱାର୍ଡୱାରୀ ଗଣତି କରାଯିବ । ପ୍ରତି ପଞ୍ଚାୟତରେ ସର୍ବନିମ୍ନ ୧୧ ଏବଂ ସର୍ବାଧିକ ୨୫ଟି ୱାର୍ଡ ରହିଛି । ତଦନୁଯାୟୀ ପ୍ରତି ବ୍ଲକରେ ଥିବା କାଉଣ୍ଟିଂ ହଲରେ ୬ଟି ଟେବୁଲ ରହିବ । ପ୍ରଥମେ ବାଲାଟ ବକ୍ସ ଖୋଲିବା ପରେ ଏଜେଣ୍ଟଙ୍କ ଆଗରେ ସିଲ୍ ଖୋଲାଯିବ । ଏହାପରେ ୱାର୍ଡମେମ୍ବରଙ୍କ ପାଇଁ ହଳଦିଆ, ସରପଞ୍ଚଙ୍କ ପାଇଁ ଗୋଲାପୀ, ସମିତିସଭ୍ୟଙ୍କ ପାଇଁ ନୀଳ ଏବଂ ଜିଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଧଳା ବାଲାଟା ପେପରକୁ ଅଲଗା କରି ୫୦ ଟିକିଆ ବଣ୍ଡଲ କରାଯିବ ।
ପ୍ରଥମ ରାଉଣ୍ଡ ପରେ ୱାର୍ଡମେମ୍ବରଙ୍କ ଗଣତି ଓ ଫଳାଫଳ ବାହାରିବ । ଗଣତି ବେଳେ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ପ୍ରବେଶ ନେଇ କଟକଣା କୋହଳ କରିଛନ୍ତି ନିର୍ବାଚନ କମିଶନର । ପୂର୍ବରୁ ଆର୍ଟିିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟିଂ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବାବେଳେ ଏବେ ସ୍ଥିତି ସୁଧୁରୁଥିବାରୁ ଡବଲ ଡୋଜ୍ ଟିକା ପ୍ରମାଣପତ୍ର ଦେଖାଇ ଗଣତି ହଲକୁ ଏଜେଣ୍ଟ ପ୍ରବେଶ କରିପାରିବେ । ଏଥିନେଇ ବିଡିଓ ଓ କାଉଣ୍ଟିଂ କର୍ମଚାରୀଙ୍କୁ ତାଲିମ ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗଣତି ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଅଧିକ ସଂଖ୍ୟକ ଫୋର୍ସ ମଧ୍ୟ ମୁତୟନ କର।।ଯାଇଛି ।