ପତ୍ନୀ ପଠାଇଲେ ଛାଡ଼ପତ୍ର ନୋଟିସ୍, ଫାଶୀ ଲଗାଇ ଝୁଲିପଡ଼ିଲେ ସ୍ୱାମୀ

ଫତେହାବାଦ:ହରିୟାଣାର ଫତେହାବାଦରେ ଜଣେ ବ୍ୟକ୍ତି ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଛାନଭିନ୍ ଜାରି ରଖିଛି । କୁହାଯାଉଛି ଯେ, ବାହାଘର ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ରହିଥିଲା । ଯେଉଁଥିପାଇଁ ପତ୍ନୀ ନିଜ ବାପଘରକୁ ଯାଇ ଛାଡ଼ପତ୍ରର ନୋଟିସ୍ ପଠାଇଥିଲେ ।

କିନ୍ତୁ ଏଥିରେ ଆହତ ହୋଇ ବ୍ୟକ୍ତିଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ପିତା ଥାନାରେ ବୋହୂର ପିତା ଓ ଭାଇଙ୍କ ସମେତ ୬ ଜଣଙ୍କ ଉପରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ନେଇ ମାମଲା ରୁଜୁ କରିଛନ୍ତି ।

ଏହି ମାମଲା ଫତେହାବାଦର ଗାଁ ଧାଗଣ୍ଡରେ ଘଟିଛି । ବାହାଘର ପରେ ୩୦ ବର୍ଷୀୟ ନାଗେଶ୍ୱର ଓ ତାଙ୍କ ପତ୍ନୀଙ୍କ ମଧ୍ରରେ ବିବାଦ ଚାଲିଥିଲା । ଅନେକ ଥର ପଞ୍ଚାୟତ ବସିଥିଲା, ଯାହାକୁ ନେଇ ନାଗେଶ୍ୱର ଚିନ୍ତାରେ ଥିଲେ । କୁହାଯାଉଛି ଯେ, ଗୁରୁବାର ରାତିରେ ନାଗେଶ୍ୱର ନିଜ ଘରେ ଶୋଇଥିଲେ ଓ ରାତିରେ ବନ୍ଦ ରୁମ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଲେ । ପୋଲିସକୁ ମୃତକ ନାଗେଶ୍ୱରଙ୍କ ପକେଟରୁ ଏକ ସୁଇସାଇଡ ନୋଟ୍ ମିଳିଛି, ଯେଉଁଥିରେ ନିଜ ମୃତ୍ୟୁ ପାଇଁ ସେ ନିଜ ଶ୍ୱଶୁର ଜଗଦୀଶ, ଶଳା ଗୁଳଦୀପ ସହିତ ୬ ଜଣଙ୍କୁ ଦାୟୀ କରିଛନ୍ତି । ପୋଲିସ ମାମଲାର ଯାଞ୍ଚ କରୁଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ।