fbpx

ବହୁତ ସହିଗଲୁ, ଏଣିକି ଋଷିଆକୁ ଜବାବ ଦେବୁ: କଡା ପ୍ରତିକ୍ରିୟା ପ୍ରକାଶ କଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୮ ଦିନ ବିତିଲାଣି । ଋଷିଆ ତରଫରୁ ନିୟମିତ ଆକ୍ରମଣ କରାଯାଉଥିବା ବେଳେ ୟୁକ୍ରେନ ନୀରବ ରହିଥିଲା । ତେବେ ୟୁକ୍ରେନ ପକ୍ଷରୁ ଆକ୍ରମଣ କରିବା ପାଇଁ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଭୋଲୋଡମିର ଜେଲେନ୍ସକି । ଜେଲେନ୍ସକି କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ନିଜର ଆତ୍ମରକ୍ଷା କରିଥିଲା । ବର୍ତ୍ତମାନ ଆଉ ଆମେ ଆତ୍ମରକ୍ଷା କରିବୁ ନାହିଁ ବରଂ ଋଷକୁ କଡା ଯବାବ ଦେବୁ । ଏହି ଯବାବ ଋଷିଆକୁ ଅତ୍ୟନ୍ତ ମହଙ୍ଗା ପଡିବ । ଏକ ଟିଭି ସାକ୍ଷାତକାର ସମୟରେ ଜେଲେନ୍ସକି ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ୟୁକ୍ରେନ ନିକଟରେ ଅତ୍ୟନ୍ତ ଆଧୁନିକ ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି । ବିଭିନ୍ନ ପଡୋଶୀ ରାଷ୍ଟ୍ର ଏବଂ ବନ୍ଧୁ ରାଷ୍ଟ୍ର ବିଭିନ୍ନ ପ୍ରକାରର ହତିଆର ପ୍ରଦାନ କରିଛନ୍ତି ଯାହା ଋଷ ପାଇଁ ଦୁସ୍ୱପ୍ନ ପାଲଟିବ ବୋଲି ଜେଲେନ୍ସକି କହିଛନ୍ତି ।

ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ପରି ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶ ଖୋଲାଖୋଲି ଋଷ ବିରୋଧରେ ଆସିଛନ୍ତି। ଏଥିରୁ ଅନେକ ଦେଶ ୟୁକ୍ରେନକୁ ସୈନ୍ୟ ହତିଆର ଯୋଗାଇବାଠୁ ନେଇ ଅନ୍ୟ ସହାୟତା ମଧ୍ୟ ଯୋଗାଇ ଦେବା କଥା କହିଛନ୍ତି। ନାଟୋ ମୁଖ୍ୟ ସୋମବାର ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ ହତିଆର ଏବଂ ମିସାଇଲ୍ ଦେବାକୁ ଘୋଷଣା କରିଛନ୍ତି। ଏ ପର୍ଯ୍ୟନ୍ତ ମୋଟ୍ ୨୧ ଦେଶ ପକ୍ଷରୁ ୟୁକ୍ରେନକୁ ସାହାଯ୍ୟ ଘୋଷଣା କରିଛନ୍ତି।
ଆମେରିକା ୟୁକ୍ରେନକୁ ୩୫୦ ଡଲାରର ଅତିରିକ୍ତ ସହାୟତା ଦେବାକୁ ଘୋଷଣା କରିଛି। ଯଦ୍ଵାରା ଏଥିରେ ଅସ୍ତ୍ର ଶସ୍ତ୍ର କ୍ରୟ କରାଯାଇ ପାରିବ। ଗତ ଏକ ବର୍ଷରେ ଆମେରିକା କିଭକୁ ବଡ ସହାୟତା ଯୋଗାଇ ଆସିଛି। ୟୁରୋପିୟନ ୟୁନିୟନ ନେତା କିଭକୁ ୪୫୦ ମିଲିୟନ ୟୁରୋ ସହାୟତାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅର୍ଥରେ ହତିଆର କ୍ରୟ ଏବଂ ଯୋଗାଇ ଦେବା ରହିଛି। ୟୁରୋପିୟନ ୟୁନିୟନର ବୈଦେଶିକ ନୀତି ମୁଖ୍ୟ ଜୋଶେଫ ବୋରେଲ କହିଛନ୍ତି ଅନେକ ଦେଶଗୁଡିକ ପକ୍ଷରୁ ୟୁକ୍ରେନକୁ ଲଢୁଆ ବିମାନ ପଠାଯାଉଛି।

Get real time updates directly on you device, subscribe now.