fbpx

ଶବଗୃହରେ ପହଞ୍ଚି ତାନ୍ତ୍ରିକ କହିଲା- ମୃତକକୁ ବାହାରକୁ ଆଣ, ମୁଁ ଜୀବିତ କରିଦେବି; ପରିବାର ଲୋକଙ୍କ ସମ୍ମତିରେ ଖୋଲିଲା ଗେଟ୍

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଯୁଗରେ ବି ତାନ୍ତ୍ରିକ, ବାବା ଆଦିଙ୍କୁ ଅନେକ ଲୋକ ଭଗବାନ ବୋଲି ମାନୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଜଣେ ତାନ୍ତ୍ରିକ ଶବ ଘର ଆଗରେ ପହଞ୍ଚି ଦାବି କରିଛି ଯେ, ଶବକୁ ବାହାରକୁ ଆଣ ଓ ତାକୁ ମୁଁ ଜୀବିତ କରିଦେବି । ଖାଲି ସେତିକି ନୁହେଁ ମୁର୍ଦାଘର ସାମନାରେ ଅଜବଗଜବ ହରକତ କରିବାକୁ ଲାଗିଥିଲା ଜଣାପଡ଼ିଛି । ଏହିଭଳି କାଣ୍ଡ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲା ହସ୍ପିଟାଲରେ ।

ସୂଚନାଯେ, ଉକ୍ତ ସହରର ପଲିଟେକ୍ନିକ୍ କଲେଜ୍ ରେ ପଢ଼ୁଥିବା ସୋନୁ ଆଦିବାସୀ ନିଜ ଘରେ ଆତ୍ମହତ୍ୟା କରିଦେଇଛନ୍ତି । ଏହାପରେ ତାଙ୍କ ମୃତଦେହକୁ ଜିଲ୍ଲା ହସ୍ପିଟାଲରେ ରଖାଯାଇଥିଲା । ପ୍ରଥମରେ ତ ପରିବାର ଲୋକେ ଶବକୁ ରଖି ସେଠାରୁ ଚାଲି ଯାଇଥିଲେ । ହେଲେ କିଛି ସମୟ ପରେ ଜଣେ ବାବାଙ୍କୁ ପୁଣି ଜିଲ୍ଲା ହସ୍ପିଟାଲରେ ଆଗରେ ପହଞ୍ଚିଥିଲେ ପରିବାର ଲୋକେ । ଆଉ ଶବକୁ ବାହାରକୁ ଆଣିବାକୁ ଜିଦ୍ କରିବାକୁ ଲାଗିଲେ ।

ପରିବାର ଲୋକଙ୍କ ସହିତ ଉକ୍ତ ତାନ୍ତ୍ରିକ ବାବା ମଧ୍ୟ ନିଜକୁ ଶକ୍ତିଶାଳୀ କହି ଦାବି କରିବାକୁ ଲାଗିଥିଲା ଯେ, ମୃତକଙ୍କ ପାଖରେ ଆଉ କିଛି ମିନିଟ୍ ର ସମୟ ଅଛି । ତେଣୁ ଏହି କିଛି ସମୟ ମଧ୍ୟରେ ଯଦି ତାକୁ ବାହାର ଅଣାଯାଏ ତାହେଲେ ସେ ତାକୁ ଜୀବିତ କରିଦେବେ । ତେବେ ଉକ୍ତ ତାନ୍ତ୍ରିକ ବାବାର କଥାକୁ ପରିବାର ଲୋକ ଏତେ ମାତ୍ରାରେ ବିଶ୍ୱାସ କରୁଥିଲେ ଯେ, ସେମାନେ ବି ଶବକୁ ବାହାରକୁ ଆଣିବାକୁ ଜିଦ୍ କରିବାକୁ ଲାଗିଲେ । ଖାଲି ସେତିକି ନୁହେଁ ଯେତେବେଳେ କେହି ଶୁଣିନଥିଲେ ସେତେବେଳେ ବାବା ନିଜେ ଶବଗୃହର କବାଟ ଭାଙ୍ଗିବାକୁ ପ୍ରୟାସ କରିବାକୁ ଲାଗିଲା ।

କିଛି ସମୟ ପରେ ପରିବାର ଲୋକଙ୍କ ଜିଦ୍ ପରେ ଶବ ଗୃହର କବାଟ ଖୋଲିଦିଆଯାଇଥିଲା । ମୃତକଙ୍କ ଭଉଣୀ ନିଜ ଭାଇକୁ ଯାଇ ଦେଖିଥିଲେ । କିନ୍ତୁ ଶବକୁ ବାହାରକୁ ଅଣାଯାଇନଥିଲା । ତେଣୁ ଉକ୍ତ ବାବା ସହିତ ପରିବାର ଲୋକଙ୍କୁ ମଧ୍ୟ ପୋଲିସ୍ ଫେରାଇ ଦେଇଥିଲା ।

Get real time updates directly on you device, subscribe now.