ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ମିଳିତ ଜାତିସଂଘର ଅନେକ ଫୋରମରେ ରୁଷ ବିରୋଧରେ ପ୍ରସ୍ତାବ ଆଗତ ହୋଇଥିଲା। ତେବେ ପ୍ରତି ଥର ଭାରତ ପ୍ରସ୍ତାବ ଉପରେ ମତଦାନରୁ ଓହରି ଯାଇଥିଲା। ଭାରତର ଏହି ଆଭିମୁଖ୍ୟ ପ୍ରତି ଆମେରିକା ମଧ୍ୟ ଖପ୍ପା। ଏପରିକି ଆମେରିକା ଭାରତ ଉପରେ କଟକଣା ଲଗାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଏହା ମଧ୍ୟରେ ଆମେରିକାର ରିପବ୍ଲିକନ ପାର୍ଟିର ନେତା ତଥା ପ୍ରଭାବଶାଳୀ ସାଂସଦ ଟେଡ୍ କ୍ରୁଜ କହିଛନ୍ତି, ଭାରତ ଉପରେ କୌଣସି ପ୍ରକାରର କଟକଣା ଲଗାଇବା ଆମେରିକା ପାଇଁ ବଡ ମୁର୍ଖାମୀ ହେବ। ରୁଷଠୁ ଏସ ୪୦୦ ମିସାଇଲ କିଣିବା ନେଇ ଭାରତ ଉପରେ କଟକଣା ଲଗାଇବା ଜୋ ବାଇଡେନ ପ୍ରଶାସନର ସବୁଠୁ ବଡ ଭୁଲ୍ ହେବ ବୋଲି କ୍ରୁଜ କହିଛନ୍ତି।
କ୍ରୁଜ୍ କହିଛନ୍ତି, ଏହି ପ୍ରକାରର ରିପୋର୍ଟ ମିଳିଛି ଯେ, ବାଇଡେନ୍ ପ୍ରଶାସନ ବିଶ୍ଵର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ ଭାରତ ବିରୋଧରେ କଟକଣା ଲଗାଇବା ଉପରେ ବିଚାର କରୁଛନ୍ତି। ମୋତେ ଲାଗୁଛି ବାଇଡେନ୍ ପ୍ରଶାସନରେ ଭାରତ ଏବଂ ଆମେରିକା ସଂପର୍କ ଖରାପ ହୋଇଛି। ଭାରତ ଅନେକ କ୍ଷେତ୍ରରେ ଆମେରିକାର ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ ଦେଶ। ନିକଟ କିଛି ବର୍ଷରେ ଭାରତ ଏବଂ ଆମେରିକା ସଂପର୍କ ମଜବୁତ ହୋଇଛି। ମାତ୍ର ବାଇଡେନ ପ୍ରଶାସନ ଏହାର ବିପରୀତ ଦିଗରେ ଯାଉଛନ୍ତି ବୋଲି ସାଂସଦ ଟେଡ୍ କ୍ରୁଜ କହିଛନ୍ତି।
କ୍ରୁଜ ଏହା ମଧ୍ୟ କହିଛନ୍ତି ମିଳିତ ଜାତିସଂଘରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବ ଉପରେ ମତଦାନରୁ ଓହରିବାରେ ଭାରତ ଏକମାତ୍ର ଦେଶ ନୁହେଁ। ତେଣୁ ବାଇଡେନ୍ ପ୍ରଶାସନକୁ ଏହା ଉପରେ ବିଚାର କରିବା ଉଚିତ୍ ଯେ, ଭାରତ ଉପରେ କଟକଣା ଲଗାଇବା କେତେ ଯୁକ୍ତିଯୁକ୍ତ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅମଳରେ ଭାରତ ଏବଂ ଆମେରିକା ସଂପର୍କ ବହୁତ ଖରାପ ଦିଗରେ ଯାଉଥିବା କହିଛନ୍ତି କ୍ରୁଜ।
ଅନ୍ୟପଟେ ଆମେରିକାରେ ଜଣେ ପୂର୍ବତନ ଶୀର୍ଷ ରାଷ୍ଟ୍ରଦୂତ କହିଛନ୍ତି, ଭାରତର ରୁଷକୁ ନେଇ କିଛି ବିବଶତା ରହିଛି। ପଡୋଶୀ ଦେଶ ଚୀନ ସହ ଭାରତର ତିକ୍ତତା ଜାରି ରହିଛି। ଏମିତି ସ୍ଥିତିରେ ଭାରତ ନିଜ ହିତ ପାଇଁ ଏମିତି ପଦକ୍ଷେପ ନେଇଛି। ତେଣୁ କିଛି ପଦକ୍ଷେପ ନେବା ପୂର୍ବରୁ ଆମେରିକାକୁ ଭାବିଚିନ୍ତି କାମ କରିବା ଉଚିତ୍ ବୋଲି ସେ କହିଛନ୍ତି।