fbpx

ଆଜିର ଦିନରେ କ୍ରିକେଟର ଭଗବାନ ସଚିନ ମାରିଥିଲେ ଶତକର ଶତକ , ତଥାପି ଭାଙ୍ଗିଥିଲା ୧୦୦ କୋଟି ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ଆଜିର ଦିନଟି ବହୁତ ଖାସ୍ ରହିଛି। ଆଜି ଦିନରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ଶତକର ଶତକ ପୂରଣ କରିଥିଲେ। ୧୦ ବର୍ଷ ପୂର୍ବେ ଆଜିର ଦିନରେ ବାଂଲାଦେଶ ବିପକ୍ଷ ଏସିଆ କପରେ ସଚିନ ୧୧୪ ରନର ଶତକୀୟ ଇନିଂସ ଖେଳିଥିଲେ। ମାତ୍ର ଏହି ଐତିହାସିକ ଇନିଂସ ପରେ ବି ଭାରତକୁ ବାଂଲାଦେଶ ହାତରୁ ପରାଜୟର ସ୍ଵାଦ ଚାଖିବାକୁ ପଡିଥିଲା। ଦଳ ଏସିଆ କପ ଫାଇନାଲରେ ବି ପହଞ୍ଚି ପାରିନଥିଲା ଏବଂ ୧୦୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା।

ଏସିଆ କପ ୨୦୧୨ର ଚତୁର୍ଥ ମ୍ୟାଚରେ ଭାରତ ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିଲା। ସଚିନଙ୍କ ଶତକ ପରେ ବିରାଟ କୋହଲି ଏବଂ ସୁରେଶ ରୈନାଙ୍କ ଅର୍ଦ୍ଧଶତକ ବଳରେ ଭାରତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୨୮୯ ରନ କରିଥିଲା। ଜବାବରେ ଆୟୋଜକ ବାଂଲାଦେଶ ତମିମ ଇକବାଲଙ୍କ ୭୦, ଜହରୁଲ ଇସଲାମଙ୍କ ୫୩ ଏବଂ ନାସିର ହୁସେନଙ୍କ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଦମରେ ୫ ଓ୍ଵିକେଟ୍ ହରାଇ ୪ ବଲ୍ ବଳକା ଥାଇ ବିଜୟଲ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ପରାଜୟ କାରଣରୁ ଭାରତ ଏସିଆ କପ ଫାଇନାଲରେ ପ୍ରବେଶ କରି ପାରିନଥିଲା। ପାକିସ୍ତାନ ବାଂଲାଦେଶକୁ ହରାଇ ଟାଇଟଲ୍ ହାତେଇଥିଲା।

ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଶତକ ଅର୍ଜନ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ଟେଷ୍ଟରେ ୫୧ ଏବଂ ଦିନିକିଆରେ ୪୯ ଶତକ ହାସଲ କରିଛନ୍ତି। ଏହି ତାଲିକାରେ ଦ୍ଵିତୀୟରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ସେ ୭୧ ଶତକ ହାସଲ କରିଛନ୍ତି। ୭୦ ଶତକ ସହ ବିରାଟ କୋହଲି ତୃତୀୟରେ ଅଛନ୍ତି। ପ୍ରଶଂସକ ଗତ ଦୁଇ ବର୍ଷ ଧରି କୋହଲିଙ୍କ ବ୍ୟାଟରୁ ଶତକ ଆଶା କରି ବସିଛନ୍ତି।

ସଚିନ ୧୧୪ ରନ ୧୪୭ ବଲରୁ ହାସଲ କରିଥିଲେ। ଏଥିରେ ୧୨ ଚୌକା ଏବଂ ଗୋଟିଏ ଛକା ସାମିଲ୍। କ୍ରିକେଟ୍ ବିଶେଷଜ୍ଞ ଭାରତ ପରଜାୟ ପରେ ସଚିନଙ୍କ ଇନିଂସର ସମାଲୋଚନା କରିଥିଲେ। କାରଣ ସଚିନ ନିଜର ଶତକ ପୂରଣ ପାଇଁ ଅଧିକ ବଲ୍ ଖେଳିଥିଲେ। ମାତ୍ର ସଚିନଙ୍କ ବ୍ୟତୀତ କୋହଲି ମଧ୍ୟ ୮୨ ବଲରୁ ୬୬ ରନ କରିଥିଲେ।

 

Get real time updates directly on you device, subscribe now.