fbpx

୨୬ରୁ ଅଗ୍ନିବର୍ଷା , ୪୫ଡିଗ୍ରୀ ଟପିବ ରାଜଧାନୀର ତାପମାତ୍ରା ! ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା୨୬ତାରିଖରୁ ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଅସ୍ତବ୍ୟସ୍ତ ହୋଇଉଠିବ ଜନଜୀବନ । ଏପରିକି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି । ୨୬ତାରିଖରେ ଭୁବନେଶ୍ୱରର ତାପମାତ୍ରା ୪୨ରୁ ୪୫ଡିଗ୍ରୀ ଭିତରେ ରହିବାର ସମ୍ଭାବନା ଥିବାବେଳେ ୨୨ରୁ ୨୫ ପର୍ଯ୍ୟନ୍ତ ୪୦ଡିଗ୍ରୀ ଉପରେ ପାରଦ ରହିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରବଳ ତାତି ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଦହଗଞ୍ଜ କରୁଛି । ପୂର୍ବାହ୍ନ ୮ଟାରୁ ଖରାର ପ୍ରକୋପ ଅନୁଭୂତ ହେଉଛି । ଏପରିକି ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ ହୋଇପଡିବା ସହ ଦୋକାନ ବଜାର ବନ୍ଦ ରହୁଥିବାର ଦେଖିବାକୁ ମିଳୁଛି । ଏବେ ବି ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ରେକର୍ଡ କରାଯାଇଛି । ଆଗାମୀ ଦିନରେ ତାତିର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ରାଜଧାନୀବାସୀଙ୍କୁ ପ୍ରବଳ ଖରାର ତାପ ସହିବାକୁ ପଡିବ । ଅପ୍ରେଲ ମାସରେ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଜାରି ରହିବ । ମାର୍ଚ୍ଚ ୩୧ରୁ ଅପ୍ରେଲ ୬ ପର୍ଯ୍ୟନ୍ତ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ତାପମାତ୍ରା ଉପରମୁହାଁ ରହିବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟର ୫ ସହରର ଦିନର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ଭାବେ ପରିଚିତ ଲାଭ କରିଛି ।

ଏହି ସହରର ତାପମାତ୍ରା ୪୧.୪ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ୪୧, ବୌଦ୍ଧ, ଅନୁଗୁଳ ଓ ବାରିଦାରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିନେଇ ସତର୍କତାମୂଳକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ବିଶେଷ କରି ଅଂଶୁଘାତର ମୁକାବିଲା ପାଇଁ ବିଭିନ୍ନ ସରକାରୀ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଅତି ଆବଶ୍ୟକ ନଥିଲେ ଖରାରେ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିସହ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ସ୍ଥାପନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Get real time updates directly on you device, subscribe now.