ଆତଙ୍କ ଖେଳାଉଛି ମଣିଷଖିଆ ବାଘ: ୬ ଜୀବନ ନେବା ପରେ ମହାବଳକୁ ଧରିବା ପାଇଁ ଚଣ୍ଡୀଗଡରୁ ଆସିଲେ ଶିକାରୀ

ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ନିକଟସ୍ଥ ଫତେପୁର ଜଙ୍ଗଲରେ ଆତଙ୍କ ଖେଳାଇ ଦେଇଛି ଏକ ମଣିଷଖିଆ ବାଘ । ଗତ ୪ ମାସରୁ ବାଘ ଭୟରେ ଲୋକେ ଜଙ୍ଗଲ ଯିବା ତ ଦୂରର କଥା ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି । ଏହି ମହାବଳ ବାଘ ଏବେ ପର୍ଯ୍ୟନ୍ତ ପ୍ରାୟ ୬ ଜଣଙ୍କ ଜୀବନ ନେଇସାରିଥିବା କୁହାଯାଉଛି । ବାଘର ଆତଙ୍କ ଦିନକୁ ଦିନ ବଢୁଥିବା ଦେଖି ଏହାକୁ ଧରିବା ପାଇଁ ଜୋଦାର ଚେଷ୍ଟା ଜାରି ରଖିଛନ୍ତି ଉତ୍ତରାଖଣ୍ଡ ପ୍ରଶାସନ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ଚାରା ଆଣିବାକୁ ଯାଇତିବା ଜଣେ ମହିଳାଙ୍କୁ ଏହି ମଣିଷଖିଆ ବାଘ ନିଜ ଶିକାର କରିଥିଲା । ଏହି ଘଟରା ପରେ ବନ ବିଭାଗର କର୍ମଚାରୀମାନେ ଏହି ବାଘକୁ ଧରିବା ପାଇଁ ପ୍ରୟାସ ଆହୁରି ଜୋର କରିଛନ୍ତି । କେବଳ ସେତିକି ନୁହେଁ, ବାଘକୁ ମାରିବା ପାଇଁ ବନବିଭାଗ ଚଣ୍ଡୀଗଡରୁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଶିକାରୀ ଆଶିଷ ଦାସଗୁପ୍ତାଙ୍କୁ ଆଣିଛି । ମଣିଷଖିଆ ଏହି ବାଘର ଗତିବିଧିକୁ ଲକ୍ଷ୍ୟ ରଖିବା ପାଇଁ ଏବଂ ଧରିବା ପାଇଁ ଜଙ୍ଗଲରେ ମୋଟ ୩୦ଟି ସିସିଟିଭି ଲଗାଇଛି ବନବିଭାଗ । ଏଥିସହିତ ,କ ୫୦ ଜଣିଆ ଟିମକୁ ମଧ୍ୟ ଏହି ଅପରେସନରେ ସାମିଲ କରାଯାଇଛି । ଭଦୁନି ଏବଂ ପାନିଆଲି ଗାଁରୁ ଜଙ୍ଗଲରେ ବାଘର ପାଦାଚିହ୍ନ ଖୋଜିବା ପାଇଁ ଏମାନେ ଉଦ୍ୟମ ଚଳାଇଛନ୍ତି ।

ଏମାନଙ୍କ ବ୍ୟତୀତ ପୋଲିସକର୍ମୀ ମଧ୍ୟ ଏହି ବାଘକୁ ନେଇ ସତର୍କ ସୂଚନା ଜାରି କରିବା ସହ ବାଘ ଆକ୍ରମଣରୁ ବଞ୍ଚିବା ପାଇଁ ତାଲିମ ଦେଉଛନ୍ତି । ଜଙ୍ଗଲ ଭିତରକୁ ଯିବା ପାଇଁ ଲୋକମାନଙ୍କୁ ବାରଣ କରାଯାଇଛି । ସେପଟେ ମଣିଷଖିଆ ,ହି ଭୟଙ୍କର ମହାବଳ ବାଘକୁ ଧରିବା ପାଇଁ ମସସ୍ତ ଟିମ ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ଜିଲ୍ଲା ବନ ଅଧିକାରୀ ସି. ଏସ ଜୋସୀ ।