ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ସାକ୍ଷାତକାର ପରେ ଭୁବନେଶ୍ୱର ୨ଟି ଉନ୍ନତିମୂଳକ କାର୍ଯ୍ୟ ହେବା ନେଇ ସୂଚନା ଦେଇଛନ୍ତି ସାଂସଦ ।
ଭୁବନେଶ୍ୱର ଏକାମ୍ର ପାସେଞ୍ଜର ହଲଟ ରେଳ ଷ୍ଟେସନରେ ପରିଣତ ହେବ ଏବଂ ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ଉନ୍ନତୀକରଣ କରାଯିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ଠାରେ ଦାବି କରିଥିଲେ ସାଂସଦ ଅପରାଜିତା । ରେଳ ମନ୍ତ୍ରୀ ତାଙ୍କ ଦାବି ଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ।
ଉଲ୍ଲେଖଯୋଗ୍ୟ, ବୁଧବାର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତକାର ପରେ ଭୁବନେଶ୍ୱରରେ ୨ ନୂଆ ଫୁଟ୍ ଓଭରବ୍ରିଜ୍ ଏବଂ ଗୋଟିଏ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣକୁ କେନ୍ଦ୍ର ଅନୁମତି ଦେଇଥିବା ନେଇ ସୂଚନା ଦେଇଥିଲେ ।