ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିରୁ ମିଳିବ ଆଶ୍ୱସ୍ତ ! ଏହି ବଡ ନିଷ୍ପତ୍ତି ଉପରେ ବିଚାରବିମର୍ଶ ଚଳାଇଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରି କାଇଲାଣି । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାରଲୋକଙ୍କୁ ଏଥିରୁ କିଭଳି ଆଶ୍ୱସ୍ତି ମିଳିବ ସେ ନେଇ ବିଚାର କରୁଛନ୍ତି । ପେଟ୍ରୋଲିୟମ୍ପ ମନ୍ତ୍ରାଳୟ ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରିବା ପାଇଁ ଅର୍ଥ ମନ୍ତ୍ରାଳୟ ସହ ବିଚାରବିମର୍ଶ ଚଳାଇଛନ୍ତି । ଯଦି ଏହା ବାସ୍ତବିକ କାର୍ଯ୍ୟକ୍ଷେତ୍ରରେ ଲାଗୁ ହେବ ତେବେ ଦେଶରେ ତତ୍କାଳ ପେଟ୍ରୋଲ ଓ ଡିଜେଲ୍‌ର ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାର ଗତବର୍ଷ ନଭେମ୍ବରରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍‌ ଡ୍ୟୁଟିରେ ହ୍ରାସ କରିଥିଲେ । ସେତେବେଳେ ସରକାର ପେଟ୍ରୋଲ ଉପରେ ପ୍ରତି ଲିଟର ପିଛା ୫ଟଙ୍କା ଓ ଡିଜେଲ୍‌ ଉପରେ ୧୦ ଟଙ୍କା ହ୍ରାସ କରିଥିଲେ । ବର୍ତ୍ତମାନ ପେଟ୍ରୋଲ ଉପରେ ମୋଟ୍‌ ଏକ୍ସାଇଜ୍‌ ଡ୍ୟୁଟି ଲିଟର ପିଛା ୨୭ଟଙ୍କା ୯୦ ପଇସା ଥିବାବେଳେ ଡିଜେଲ୍‌ ଉପରେ ଲିଟର ପିଛା ୨୧ଟଙ୍କା ୮୦ ପଇସା ରହିଛି । ଅଏଲ୍‌ ମାର୍କେଟିଂ କମ୍ପାନୀ ଏପ୍ରିଲ୍‌ ୧୧ଠାରୁ ଲଗାତାର ୫ଦିନ ହେବ ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ଉପରେ କୌଣସି ପରିବର୍ତ୍ତନ କରିନାହାନ୍ତି । କିନ୍ତୁ ମାର୍ଚ୍ଚ ୨୨ରୁ ଏପ୍ରିଲ୍‌ ୬ ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ଲିଟର ପ୍ରତି ୧୦ ଟଙ୍କା ବୃଦ୍ଧି କରିଥିବା ଜଣାଯାଏ । ଏପରି ସ୍ଥଳେ ଯଦି ସରକାର ଏକ୍ସାଇଜ୍‌ ଡ୍ୟୁଟିରେ ହ୍ରାସ କରିବାର ନିଷ୍ପତ୍ତି କରନ୍ତି ତେବେ ଏହାଦ୍ୱାରା ସାଧାରଣ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିବ ।