କରୌଲି ଯାଉଥିବା ସୁରିୟାଙ୍କ ସମେତ ୪୦୦ ବିଜେପି କାର୍ଯ୍ୟକର୍ତ୍ତା ଗିରଫ

କରୌଲି ଗସ୍ତ କରୁଥିବା ବିଜେପି ଯୁବ ମୋର୍ଚ୍ଚା ଜାତୀୟ ସଭାପତି ତେଜସ୍ୱି ସୁରିୟାଙ୍କ ସମେତ ୪୦୦ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ରାଜସ୍ଥାନ ପୋଲିସ । କରୌଲି ହିଂସାରେ ପିଡିତଙ୍କୁ ନ୍ୟାୟ ଦେବା ଲାଗି “ନ୍ୟାୟ ଯାତ୍ରା’ ନେଇ ବାହାରିଥିବା ବିଜେପି କର୍ମକର୍ତ୍ତା ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତିକୁ କାବୁ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିବା ସହିତ ତେଜସ୍ୱି ସୁରିୟା, ରାଜସ୍ଥାନ ରାଜ୍ୟ ବିଜେପି ସଭାପତିଙ୍କ ସମେତ ୪୦୦ ବିଜେପି କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରି ମହୁଆ ଥାନାକୁ ନେଇଛି ।

ଏହି ଯାତ୍ରାକୁ ରୋକିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଇଛି । ଏହା ପରେ ସୁରିୟାଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଧାରଣାରେ ବସିଥିଲେ । ଏହା ପରେ ସୁରିୟା କହିଛନ୍ତି ଯେ କଂଗ୍ରେସର ଗେହଲଟ ସରକାର ଆମକୁ ଯେତେ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଆମକୁ ଦଙ୍ଗା ପ୍ରଭାବିତ କରୌଲି ଅଞ୍ଚଳକୁ ଯିବାକୁ ରୋକିପାରିବେ ନାହିଁ । ଆମେ ଯେକୌଣସି ପରିସ୍ଥିତିରେ କରୌଲି ଯିବୁ ବୋଲି ସେ କହିଥିଲେ । ଏହା ପରେ ପୋଲିସ ସେମାନଙ୍କୁ ଗିରଫ କରି ନେଇଥିଲା ।

ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତା ପ୍ରଚଣ୍ଡ ଜୟ ଶ୍ରୀରାମର ନାରା ଦେଇଥିଲେ । ତେବେ ସେଠାରେ ଥିବା ପୋଲିସ ଅଧିକାରୀମାନେ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ ବୁଝିବାକୁ ନାରାଜ ଥିଲେ । ପୋଲିସ ଅଧିକାରୀଙ୍କ କହିବା ମୁତାବକ ସରକାରଙ୍କ ଅନୁମତି ନଥିବାରୁ ସେମାନେ ତାଙ୍କୁ କରୌଲି ଯିବାକୁ ଦେବେ ନାହିଁ । ଏହା ପରେ ତେଜସ୍ୱି ସୁରିୟା ଗଣମାଧ୍ୟମକୁ କହିଥିଲେ ଯେ କରୌଲି ଅଞ୍ଚଳରେ ୧୪୪ ଧାରା ଲାଗୁ ନାହିଁ । କରୌଲି ଯିବା ଆମ ସମ୍ବିଧାନିକ ଅଧିକାର । କଂଗ୍ରେସର ଏହି ମନମୁଖି ସରକାର ଆମ ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛି । ଏହି କାରଣରୁ ଆମକୁ ବିରୋଧ କରୁଛି ।