୮ ମାସ ପର୍ଯ୍ୟନ୍ତ ୮୦ ଜଣ କଲେ ବଳାତ୍କାର: ପୀଡିତା ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରୁ ଆସିଛି ଏକ ଛାତିଥରା ହୃଦୟ ବିଦାରକ ଘଟଣା । ଜଣେ ନାବାଳିକାଙ୍କୁ ୮୦ ଜଣ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏ ଗଟଣା ଗୋଯିଏ ଦିନର ନୁହେଁ, ଦୀର୍ଘ ୮ ମାସ ଧରି ନାବାଳିକାକୁ ଧର୍ଷଣ କରାଯାଇଥିବା ଜଣାପଡିଛି । ତେବେ ପୋଲିସ ଏ ଘଟଣା ନେଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିରୋଧରେ ଠୋସ ପ୍ରମାଣ ପାଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଗତକାଲି ଗୁଣ୍ଟୁର ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ନାବାଳିକାଙ୍କୁ ବେଶ୍ୟାବୃତ୍ତି କରିବା ପାଇଁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, ପୀଡିତାଙ୍କୁ ୮ ମାସରେ ୮୦ ଜଣ ବ୍ୟକ୍ତି ବଳାତ୍କାର କରିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱର୍ଣ୍ଣ କୁମାରୀଙ୍କର ଏବଂ ପୀଡିତାଙ୍କ ମାଙ୍କର ଗତବର୍ଷ କୋଭିଡ ସମୟରେ ସାକ୍ଷାତ ହୋଇଥିଲା । ଏହି ସମୟରେ ନାବାଳିକାଙ୍କ ମା ମୃତ୍ୟୁବରଣ କରିଥିଲେ । ତେଣୁ ନାବାଳିକାଙ୍କୁ ନେଇ ଘରକୁ ଚାଲି ଯାଇଥିଲେ ସ୍ୱର୍ଣ୍ଣ । ଏହାପରେ ସେ ନାବାଳିକାଙ୍କୁ ବେଶ୍ୟାବୃତ୍ତି କରିବା ପାଇଁ ବାଧ୍ୟ କରିଥିଲେ ।

ତେବେ ଗତବର୍ଷ ଅଗଷ୍ଟ ମାସରେ ପୀଡିତାଙ୍କ ପିତା ପୋଲିସର ସହାୟତା ନେଇଥିଲେ । ଅଭିଯୋଗ ଆଧାରରେ ମୁଖ୍ୟ ଅଭିଯୁକ୍ତ ସ୍ୱର୍ଣ୍ଣ କୁମାରୀଙ୍କୁ ଚିହ୍ନଟ କରି ଜାନୁୟାରୀରେ ଗିରଫ କରିଥିଲା ପୋଲିସ । ତେବେ ଗତକାଲି ଗୁଣ୍ଟୁର ପଶ୍ଚିମ ଅଞ୍ଚଳ ପୋଲିସ ଜଣେ ବିଟେକ ଛାତ୍ରଙ୍କ ସମେତ ମୋଟ ୧୦ ଜଣଙ୍କୁ ଗିରଫ କରିଛି । ଆଗକୁ ଆହୁରି ଅନେକ ଲୋକଙ୍କୁ ଗିରଫ କରାଯାଇପାରେ ବୋଲି ପୋଲିସ ତରଫରୁ କୁହାଯାଇଛି ।