ମୋଦୀ ସରକାର ଆଣିଛନ୍ତି ଯୋଜନା: ୬୦ ବର୍ଷ ହେଲେ ଶ୍ରମିକ ମଧ୍ୟ ପାଇବେ ପେନ୍ସନ୍, ଜାଣନ୍ତୁ ପ୍ରସେସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ଶ୍ରମିକମାନଙ୍କୁ ପେନସନ୍ ସୁବିଧା ଯୋଗାଇବେ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉତ୍ତମ ଯୋଜନା । ଏହା ଅଧୀନରେ ରାସ୍ତାଘାଟ ବିକ୍ରେତା, ରିକ୍ସା ଚାଳକ, ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ସେମାନଙ୍କର ବୃଦ୍ଧାବସ୍ଥା ସୁରକ୍ଷିତ ରଖିବାରେ ସାହାଯ୍ୟ ମିଳିବ । ସରକାର ଏହି ଯୋଜନା ଅଧିନରେ ପେନସନର ଗ୍ୟାରେଣ୍ଟି ଦେଇଛନ୍ତି । ଏହି ଯୋଜନାରେ ଦିନକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬୦୦୦ ଟଙ୍କା ପେନସନ୍୍ ପାଇପାରିବେ ।

ଏହି ଯୋଜନା ଆରମ୍ଭ କଲେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ପଡିବ । ଅର୍ଥାତ୍ ୧୮ ବର୍ଷ ବୟସରୁ ଦିନକୁ ପ୍ରାୟ ୨ ଟଙ୍କା ସଞ୍ଚୟ କରି ଆପଣ ବାର୍ଷିକ ୩୬୦୦୦ ଟଙ୍କା ପେନସନ୍ ପାଇପାରିବେ । ଯଦି ଜଣେ ବ୍ୟକ୍ତି ୪୦ ବର୍ଷ ବୟସରୁ ଏହି ଯୋଜନା ଆରମ୍ଭ କରନ୍ତି, ତେବେ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ପଡିବ । ୬୦ ବର୍ଷ ବୟସ ହେବାପରେ ଆପଣଙ୍କୁ ପେନସନ୍ ମିଳିବା ଆରମ୍ଭ ହେବ । ୬୦ ବର୍ଷ ପରେ ଆପଣଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ଅର୍ଥାତ୍ ବର୍ଷକୁ ୩୬୦୦୦ ଟଙ୍କା ପେନସନ୍ ମିଳିବ ।

ଏହି ଯୋଜନାର ଲାଭ ଉଠାଇବାକୁ ଆପଣଙ୍କ ପାଖରେ ଏକ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ଥିବା ଆବଶ୍ୟକ । ବ୍ୟକ୍ତିର ବୟସ ୧୮ ବର୍ଷରୁ ଅଧିକ ଓ ୪୦ ବର୍ଷରୁ କମ୍ ହେବା ଆବଶ୍ୟକ । ଏହି ଯୋଜନା ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ହେବା ଉଚିତ୍ ।

କିପରି କରିବେ ପଞ୍ଜିକରଣ :
– ଏଥିପାଇଁ ଆପଣଙ୍କୁ ସାଧାରଣ ସେବା କେନ୍ଦ୍ର (ସିଏସସି) ରେ ଏହି ଯୋଜନା ପାଇଁ ପଞ୍ଜିକରଣ କରିବାକୁ ପଡିବ ।

– ଶ୍ରମିକମାନେ ସିଏସସି କେନ୍ଦ୍ରରେ ପୋର୍ଟାଲରେ ଶ୍ରମିକ ନିଜକୁ ପଞ୍ଜୀକୃତ କରିପାରିବେ ।

– ସରକାର ଏହି ଯୋଜନା ପାଇଁ ଏକ ୱେବ୍ ପୋର୍ଟାଲ୍ କରିଛନ୍ତି ।

– ଏହି ସେଣ୍ଟର ମାଧ୍ୟମରେ ଅନଲାଇନରେ ଥିବା ସମସ୍ତ ତଥ୍ୟ ଭାରତ ସରକାରଙ୍କ ନିକଟକୁ ଯିବ ।

ଏହି ଯୋଜନା ପାଇଁ ସରକାର ଶ୍ରମ ବିଭାଗ, ଏଲଆଇସି, ଇପିଏଫଓ କାର୍ଯ୍ୟାଳୟକୁ ଶ୍ରମିକ ସୁବିଧା କେନ୍ଦ୍ର ଭାବରେ ପରିଣତ କରିଛନ୍ତି । ଏଠାକୁ ଯାଇ ଶ୍ରମିକମାନେ ଏହି ଯୋଜନା ବିଷୟରେ ସୂଚନା ପାଇପାରିବେ । ଏହି ଯୋଜନା ପାଇଁ ସରକାର ଟୋଲ ଫ୍ରି ନମ୍ବର ୧୮୦୦୨୬୭୬୮୮୮ ଜାରି କରିଛନ୍ତି । ଏହି ନମ୍ବରକୁ କଲ କରି ଆପଣ ଯୋଜନା ବିଷୟରେ ସୂଚନା ମଧ୍ୟ ପାଇପାରିବେ ।