fbpx

ଦିଲ୍ଲୀ BJP ମୁଖପାତ୍ର ତେଜିନ୍ଦର ବଗା ଗିରଫ, ସିଏମ୍ କେଜ୍ରିୱାଲଙ୍କ ବିରୋଧରେ ମନ୍ତ୍ରବ୍ୟ ଦେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦର ବଗାଙ୍କୁ ପଞ୍ଜାବ ପୋଲିସ ଗିରଫ କରିନେଇଛି । ତେଜିନ୍ଦରଙ୍କ ବିରୋଧରେ ସାଇବର ସେଲରେ ଅଭିଯୋଗ ଦାୟର ହୋଇଥିଲା । ଏହି ଘଟଣାକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ୍ ହୋଇ ଉଠିଛି । ବିଜେପି ନେତାମାନେ ପଞ୍ଜାବର ଭଗୱନ୍ତ ମାନଙ୍କ ସରକାର ଉପରେ ବର୍ଷିଛନ୍ତି ।

ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବା ସହ ସମାଜକୁ ଜାତି ଓ ଧର୍ମ ଆଧାରରେ ବିକେନ୍ଦ୍ରୀକରଣ କରିବାକୁ ତେଜିନ୍ଦର ପ୍ରୟାସ କରୁଥିବା ନେଇ ଅଭିଯୋଗ ହୋଇଥିଲା । ତେଜିନ୍ଦରଙ୍କୁ ପଞ୍ଜାବ ପୋଲିସର ୫୦ ଯବାନ ଘରୁ ଗିରଫ କରାଯାଇଥିବା ବିଜେପି ନେତା କପିଲ ମିଶ୍ରା କହିଛନ୍ତି । ଏପରି ହରକତ କରି ଜଣେ ସଚ୍ଚୋଟ ସର୍ଦ୍ଦାରଙ୍କୁ ଦୁର୍ବଳ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ମିଶ୍ରା ଜବାବ ଦେଇଛନ୍ତି ।

ଅନ୍ୟପଟେ ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ପଞ୍ଜାବରେ ତାଙ୍କର ଦଳ ଆମ ଆଦମୀ ପାର୍ଟି (ଏଏପି)କୁ କ୍ଷମତା ମିଳିବା ପରେ ସେ ବିରୋଧୀଙ୍କୁ ଧମକାଇବା ଆରମ୍ଭ କରିଦେଲେଣି । ଦିଲ୍ଲୀର ପ୍ରତ୍ୟେକ ନାଗରିକ ଏହି ସଙ୍କଟ ସମୟରେ ତେଜିନ୍ଦରଙ୍କ ପରିବାର ସହିତ ଛିଡ଼ା ହୋଇଛନ୍ତି । ସେହିପରି ଏଏପି ବିଧାୟକ ନରେଶ ବାଲିୟାନ ବିଜେପିକୁ ଏକ ଲୁଚ୍ଚେ-ଲଫଙ୍ଗେ ପାର୍ଟି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ‘ଦି କଶ୍ମୀର ଫାଇଲ୍ସ’କୁ ନେଇ କେଜ୍ରିୱାଲଙ୍କ ଟିପ୍ପଣୀ ପରେ ତାଙ୍କୁ ଟାର୍ଗେଟ୍ କରିଥିଲେ ବଗା ।

Get real time updates directly on you device, subscribe now.