ବିହାର: ବିହାରର ଗୋପାଳଗଞ୍ଜ ଅଞ୍ଚଳରେ ଜମିବାଡି ବିବାଦକୁ ନେଇ ହୋଇଛି ତୁମୁଳକାଣ୍ଡ । ଦୁର୍ବୃତ୍ତ ଏହି ଘଟଣାକୁ ନେଇ କିଛି ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ୪ଟି ଚାଳ ଛପର ଘର ଏବେ ଏହି ଅଗ୍ନିକାଣ୍ଡର ଶିକାର ହୋଇ ସାରିଲାଣି । ମାଞ୍ଝାଗଡ ଥାନା ଅନ୍ତର୍ଗତ ଗେସିଆ ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଅମାନବୀୟ ଘଟଣା । ତେବେ ସମୟ ପୂର୍ବରୁ ସମସ୍ତଙ୍କୁ ଘରୁ ଉଦ୍ଧାର କରାଯିବାରୁ କୌଣସି ପ୍ରାଣହାନୀ ଘଟି ନାହିଁ । ତେବେ ଘଟଣାକୁ ନେଇ ପୀଡିତ ପରିବାର ଏବେ ଭୟାତୁର ଅଛନ୍ତି ।
ପୀଡିତ ମହିଳା ରାମାବତୀ ଦେବୀ ଏ ନେଇ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ତାଙ୍କ ପଡୋଶୀ ବିପୁଳ ତିୱାରୀ ଏବଂ ବିକାଶ ତିୱାରୀ କିଛି ଅଜଣା ଲୋକଙ୍କ ସହ ତାଙ୍କ ଘର ଉଜାଡି ଦେଇଛନ୍ତି । ତେବେ ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାରପିଟ କରିଥିବା ସେ ଅଭିଯୋଗ କରିଛନ୍ତି । କେବଳ ତାଙ୍କୁ ନୁହେଁ, ପୀଡିତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ବୋହୂ ରେଣୁଙ୍କୁ ମଧ୍ୟ ମାଡ ମାରିଛନ୍ତି ଦୁର୍ବୃତ୍ତ । ଏହାପରେ ରାତି ପ୍ରାୟ ୧୧ଟା ସମୟରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଥିବା ବେଳେ ସମୟ ପୂର୍ବରୁ ପରିବାରର ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।
ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସେପଟେ ଏହି ମାମଲାକୁ ନେଇ ଏତଲା ମିଳିିବା ପରେ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଥାନା ଅଧ୍ୟକ୍ଷ ବିଶାଳ ଆନନ୍ଦ । ତେବେ ଅଭିଯୋଗରେ ପ୍ରକୃତ ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।