ଆଜି ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗରେ ଗତି କରିବ ‘ଅସାନୀ’, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରବଳ ବର୍ଷିବା ସହ ୪୦ରୁ ୬୦ କି.ମି. ବେଗରେ ପବନ ବୋହିବ
କାକିନଡ଼ା ପାଖରେ ଛୁଇଁପାରେ ସ୍ଥଳଭାଗ
ନୂଆଦିଲ୍ଲୀ/ଭୁବନେଶ୍ୱର (ଭାସ୍କର ନ୍ୟୁଜ) : ଭୟଙ୍କର ରୂ ପଧାରଣ କରିଥିବା ବାତ୍ୟା ‘ଅସାନୀ’ ଏବେ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ରସ୍ତର ଅତିକ୍ରମ କରିସାରିଛି । ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ବୁଧବାର ଠାରୁ ଏହା ଓଡ଼ିଶା ଉପକୂଳରେ ସମାନ୍ତରାଳରେ ଗତି କରିବ । ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କି.ମି. ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଏପରିକି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
୧୨ ତାରିଖ ଦିନ ମାଲକାନାଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲର ଗୋଟିଏରୁ ୨ଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ । ଅସାନୀ ପାଇଁ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବାବେଳେ ପୁରୀ, ଚାନ୍ଦାବାଲି, ଧାମରା ଏବଂ ପାରାଦୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କର ଦିଆଯାଇଛି । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । କେହି ନିର୍ଦ୍ଦେଶ ଅମାନ୍ୟ କଲେ ବି ର୍ଯ୍ୟୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ବାତ୍ୟା ଅସାନୀ ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ମଙ୍ଗଳବାର ରାତିରେ ବିଶାଖାପାଟଣା-କାକିନଡା ପାଖାପାଖି ସମୁଦ୍ର ନିକଟତର ହେବ ।
ଆଜି ଦିଗ ପରିବର୍ତ୍ତନ କରି ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରିବ । ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ସମୁଦ୍ର ମଧ୍ୟ ଦେଇ ଏହା ଗତିକରିବ । ସେତେବେଳେ ଏହାର ତୀବ୍ରତା ଧୀରେ ଧୀରେ ଦୁର୍ବଳ ହେବା ସହ ଏହା ସାଇକ୍ଲୋନିକ ଷ୍ଟ୍ରର୍ମରେ ପରିଣତ ହେବ ଏବଂ ୧୨ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହୋଇସାରିଥିବ । ଓଡ଼ିଶା ଉପକୂଳରେ ପହଞ୍ଚିବା ବେଳକୁ ଏହାର ବେଗ କମିଯାଇଥିବ । ଅନ୍ୟପକ୍ଷରେ ବାତ୍ୟା ଉପକୂଳ ପାଖରେ ପହଞ୍ଚିବାବେଳକୁ ଏହା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇସାରିଥିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏଚ୍.ଆର୍.ବିଶ୍ୱାସ କହିଛନ୍ତି ।
ଅନ୍ୟପକ୍ଷରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ପାଣିପାଗ ବିଭାଗର ଆକଳନଠାରୁ ଏବେ ବାତ୍ୟାର ସ୍ଥିତି ଓ ଗତି ଥରେ ପରିବର୍ତ୍ତନ ଆସିଛି । ବାତ୍ୟା ଉତ୍ତର- ଉତ୍ତର-ପଶ୍ଚିମ ଦିଗକୁ ଗତିକରି କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ । ଅସାନୀ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରି ରିକର୍ଭ କରିବ ଓ ବିଶାଖାପାଟଣା ଦେଇ ଯିବ । ବାତ୍ୟା ସମୁଦ୍ର ଭିତରକୁ ଯିବାପରେ ଗତିପଥ କଣ ରହିବ ସେ ନେଇ ଆକଳନ ହୋଇନଥିବାବେଳେ ଅଧିକ ପବନ ହେବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।