fbpx
BSKY SKY
BSKY SKY

ନୂଆ ଚେହେରା ସହ ନୂଆ ରୂପ ନେବ ରାଜ୍ୟ କଂଗ୍ରେସ, ଖୁବ୍‌ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା

BSKY

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟ କଂଗ୍ରେସର ସଭାପତି ପଦବୀକୁ ନେଇ ଦୀର୍ଘ ଦିନ ହେବ ଲାଗି ରହିଥିବା ବିବାଦର ଯବନିକା ପଡ଼ିବାକୁ ଯାଉଛି । ଖୁବ୍‌ ଶୀଘ୍ର ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ପିସିସି ଦାୟିତ୍ୱରେ ଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ବହୁ ପୂର୍ବରୁ ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ଇତି ମଧ୍ୟରେ ହାଇକମାଣ୍ଡଙ୍କ ଡାକରା ପାଇ ଦିଲ୍ଲୀ ଯାଇଥିବା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକମାନେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧିଙ୍କ ସହ ୱାନ୍‌ ଟୁ ୱାନ ଆଲୋଚନା କରି ଭୁବନେଶ୍ୱର ଫେରିଆସିଛନ୍ତି ।

ଭୁବନେଶ୍ୱର ଫେରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ରାଜ୍ୟ କଂଗ୍ରେସରେ ପରିବର୍ତ୍ତନ କରାଯିବ । ନୂଆ ଚେହେରା ସହିତ ନୂଆ ରୂପ ନେବ ଓଡ଼ିଶା କଂଗ୍ରେସ । ଖୁବ୍‌ ଶୀଘ୍ର ନୂଆ ସଭାପତିଙ୍କ ନାମ ଘୋଷଣା ହେବାର ସମ୍ଭାବନା ଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି କିଭଳି ମଜଭୁତ୍‌ ହୋଇପାରିବ ସେନେଇ ରାହୁଲ ଦଳୀୟ ନେତା ଓ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଥିବା ସୂଚନା ମିଳିଛି । ନୂଆଦିଲ୍ଲୀର ୧୨ ତୋଗଲକ୍‌ ଲେନ୍‌ ସ୍ଥିତ ରାହୁଲ ଗାନ୍ଧିଙ୍କ ବାସଭବନରେ ଏହି ଆଲୋଚନା ହୋଇଥିଲା । ବିଶେଷ କରି ଦଳର ସାଙ୍ଗଠନିକ ସ୍ଥିତି, ସଭାପତି ପରିବର୍ତ୍ତନ ନେଇ ବିଷଦ ଭାବେ ଆଲୋଚନା କରାଯାଇଥିଲା ।

ଆଲୋଚନା ସମୟରେ ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ଥିବା ଚେଲାକୁମାର, ସମସ୍ତ ୯ ବିଧାୟକ, ପୂର୍ବତନ ପିସିସି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ନେତାମାନେ ମଙ୍ଗଳବାର ଭୁବନେଶ୍ୱର ଫେରିଆସିଛନ୍ତି । ହାଇକମାଣ୍ଡଙ୍କ ଡାକରାରେ ଏମାନେ ଦିଲ୍ଲୀ ଯାଇଥିଲେ । ୨୦୨୪ର ନିର୍ବାଚନ ରଣନୀତି ଓ ସଙ୍ଗଠନକୁ କିଭଳି ମଜଭୁତ କରାଯାଇପାରିବ ସେନେଇ ଆଲୋଚନା ହୋଇଥିବା କଂଗ୍ରେସ ବିଧାୟକ ନେତା  ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ କଂଗ୍ରେସର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏପରିକି ଅଧିକାଂଶ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନେ ଅମାନତ ହରାଉଥିବାରୁ ଏହା ଦଳ ପାଇଁ ବିର୍ଯ୍ୟୟ ଆଣିଦେଇଛି । ତେଣୁ ସଭାପତି ପରିବର୍ତ୍ତନ ପାଇଁ ଦଳ ଭିତରେ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିବାବେଳେ ଏବେ ଏହା ସାକାର ହେବାକୁ ଯାଉଛି ।

Get real time updates directly on you device, subscribe now.